ତାଳଚେର ଅମୃତ ଭାରତ ଷ୍ଟେସନ – ରୂପାନ୍ତରର ଏକ ନୂତନ ଯାତ୍ରା, ଯେଉଁଠାରେ ଆଧୁନିକତା ଏବଂ ପରମ୍ପରାର ମିଳନ ଘଟେ।
ତାଳଚେର: ଜୁଲାଇ ୧୬, ୨୦୨୬ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୋଳ ଜିଲ୍ଲାର ତାଳଚେର ରେଳ ଷ୍ଟେସନକୁ ଏକ ଆଧୁନିକ, ଯାତ୍ରୀ-ଅନୁକୂଳ ପରିବହନ କେନ୍ଦ୍ର ଭାବରେ ପରିବର୍ତ୍ତନ କରାଯାଇଛି। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ପୁନନିର୍ମିତ ଏହି ପ୍ରକଳ୍ପ, ସ୍ଥାନୀୟ ପରମ୍ପରାକୁ ସଂରକ୍ଷଣ ଓ ପ୍ରୋତ୍ସାହିତ କରିବା ସହ ବିଶ୍ୱସ୍ତରୀୟ, ଅନ୍ତର୍ଭୁକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ଷ୍ଟେସନ ଗଠନ କରିବା ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି।ଏହି ନୂଆ ପ୍ରକଳ୍ପରେ ଯାତ୍ରୀମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀମାନେ ଯେପରି ବିନା ଅସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ଲିଫ୍ଟ ସହିତ ଏକ ୧୨ ମିଟର ଚଉଡ଼ାର ପାଦଚଲା ପୋଲ ତିଆରି ହୋଇଛି। ଷ୍ଟେସନର ଏକ ନୂଆ ଭବନ ନିର୍ମାଣ କରାଯିବା ସହ ପ୍ଲାଟଫର୍ମଗୁଡ଼ିକର ରୂପରେଖ ବଦଳାଯାଇଛି। ଷ୍ଟେସନ ବାହାରେ ଯେପରି ଗାଡ଼ିମୋଟର ଭିଡ଼ ନହେବ, ସେଥିପାଇଁ ରାସ୍ତାଗୁଡ଼ିକୁ ଚଉଡ଼ା କରାଯାଇଛି। ଏହାସହ ଏକ ନୂଆ ପ୍ରତୀକ୍ଷା ଗୃହ (ୱେଟିଂ ହଲ୍), ଆଧୁନିକ ଶୌଚାଳୟ ଏବଂ ଯାତ୍ରୀମାନଙ୍କ ପାଇଁ ସୂଚନା ଫଳକ ଲଗାଯାଇଛି। ଗାଡ଼ି ପାର୍କିଂ ସ୍ଥଳକୁ ମଧ୍ୟ ଅଧିକ ବ୍ୟବସ୍ଥିତ କରାଯାଇଛି।କେବଳ ଆଧୁନିକ ସୁବିଧା ନୁହେଁ, ବରଂ ଏହି ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ। ଏଠାକୁ ଆସୁଥିବା ଯାତ୍ରୀମାନେ ଡାଲଖାଇ ନୃତ୍ୟର ଝଲକ ଏବଂ ସମ୍ବଲପୁରୀ ଲୋକ ସଂସ୍କୃତିର ମଜା ନେଇପାରିବେ। ଏହାସହ ସମ୍ବଲପୁରୀ ହସ୍ତତନ୍ତ କାରିଗରୀର ସୁନ୍ଦର ପ୍ରଦର୍ଶନୀ ମଧ୍ୟ ଦେଖିବାକୁ ମିଳିବ। ଓଡ଼ିଆ ସ୍ୱାଦର ପ୍ରସାର ପାଇଁ ଏଠାରେ ପଖାଳ ଭାତ, ଛେନାପୋଡ଼ ଓ ଡାଲମା ଭଳି ସୁଆଦିଆ ପାରମ୍ପରିକ ଖାଦ୍ୟ ମିଳିବ। ଏହା ବ୍ୟତୀତ ନିକଟରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ, ଦେଉଳଝରି ଗରମ ପାଣି କୁଣ୍ଡ ଏବଂ ଓଡ଼ିଶାର ଆଧ୍ୟାତ୍ମିକ ଓ ଐତିହାସିକ ଗୌରବକୁ ପ୍ରତିଫଳିତ କରୁଥିବା ପ୍ରାଚୀନ ମନ୍ଦିରଗୁଡ଼ିକ ଭଳି ନିକଟସ୍ଥ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ବୁଲି ଦେଖିପାରିବେ। ତାଳଚେର ରେଳ ଷ୍ଟେସନ୍ ‘ଅମୃତ ଭାରତ ଷ୍ଟେସନ୍ ଯୋଜନା’ ଅଧୀନରେ ପୁନଃବିକାଶ କରାଯାଉଥିବା ଓଡ଼ିଶାର ୫୯ଟି ରେଳ ଷ୍ଟେସନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ସେହି ଷ୍ଟେସନ୍ଗୁଡ଼ିକ ମଧ୍ୟରୁ ଗୋଟିଏ ଯାହାର ଲୋକାର୍ପଣ ୧୭ ଜୁଲାଇ ୨୦୨୬ ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ।
