ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ଟାସ୍କ ଫୋର୍ସ ବୈଠକ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତଆବଶ୍ୟକୀୟ ଭିତ୍ତିଭୂମି କାର୍ଯ୍ୟକୁ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶପ୍ରକଳ୍ପ ସ୍ଥଳକୁ ବିଦ୍ୟୁତ୍ ଏବଂ ରାସ୍ତା ସଂଯୋଗୀକରଣକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱଭୁବନେଶ୍ୱର: ତା.୧୪.୦୮.୨୦୨୬ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଆବଶ୍ୟକ ମୌଳିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକରିତା ସ୍ଥିତି ଓ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଶିଳ୍ପ ବିଭାଗ ଦ୍ୱାରା ଗଠିତ ଟାସ୍କ ଫୋର୍ସ କମିଟି ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ବହୁବିଧ ସମସ୍ୟାର ସମାଧାନ ଏବଂ ଆନୁଷଙ୍ଗିକ କାର୍ଯ୍ୟସବୁକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ସହ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶିଳ୍ପ ସମ୍ପର୍କିତ ଭିତ୍ତିଭୂମି ଓ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ କାର୍ଯ୍ୟାନ୍ୱୟନ ସମୟରେ ଦେଖାଦେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଜମି ଅଧିଗ୍ରହଣ ପାଇଁ ଆବଶ୍ୟକୀୟ ଅନୁମୋଦନ, ବିଦ୍ୟୁତ୍ ସରବରାହ ଭିତ୍ତିଭୂମି ସୁବିଧା ଓ ଏଥିପାଇଁ ପ୍ରଶାସନିକ ମଂଜୁରୀକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ପୃକ୍ତ ବିଭାଗ ସମେତ ଇଡକୋ ଏବଂ ଜିଲ୍ଲା ପ୍ରଶାସନକୁ ସମନ୍ୱିତ ଓ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ବିଭାଗୀୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ସଂପୃକ୍ତ ଶିଳ୍ପ ସଂସ୍ଥାର ମୁଖ୍ୟ ତଥା ପ୍ରତିନିଧିମାନଙ୍କ ସହିତ ପ୍ରକଳ୍ପଓ୍ୱାରୀ ଆଲୋଚନା କରିବା ସହ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଯଥା ପ୍ରକଳ୍ପ ସ୍ଥଳକୁ ବିଦ୍ୟୁତ୍ ଯୋଗାଣ, ରାସ୍ତା ସୁବିଧା, ଜଳ ଯୋଗାଣ, ବିଭିନ୍ନ ଅନୁମୋଦନ ଆଦିର ସୁବ୍ୟବସ୍ଥା କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ସୁଗମ ଓ ତ୍ୱରାନ୍ୱିତ କରିବାକୁ ଟାସ୍କ ଫୋର୍ସ କମିଟି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଙ୍କ ସମେତ ପୂର୍ତ୍ତ, ଜଳ ସଂପଦ, ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ, ଇଡକୋର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାର, ଶିଳ୍ପ ସଂସ୍ଥାର ମୁଖ୍ୟ ଏବଂ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ତଥା କାର୍ଯ୍ୟାନ୍ୱୟନ ସ୍ଥିତିରେ ଥିବା ଅନୁଗୋଳ, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, ଗଂଜାମ, ଗଜପତି, ଝାରସୁଗୁଡା, ରାୟଗଡ଼ା, ସୁନ୍ଦରଗଡ଼, ମୟୂରଭଂଜ, ନବରଙ୍ଗପୁର, କୋରାପୁଟ, କନ୍ଧମାଳ ଆଦି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।
