ପକ୍ଷପାତ ରୋଗୀଙ୍କୁ ସହାୟତା କଲା ଅନନ୍ୟା ଫାଉଣ୍ଡେସନ୍

ନୟାଗଡ଼ ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର ରାଉତ ସେହି ଗ୍ରାମର ଅନୁପମା ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ସମୟକ୍ରମେ ଉଭୟେ ଯଥାକ୍ରମେ ଏକ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ଲାଭ କରିଥିଲେ। ଉଭୟଙ୍କ ସଂସାର ହସଖୁସିରେ ଚାଲିଥିଲା, ହେଲେ ହଠାତ୍ ଦିନେ ଶିଶିର ମୁଣ୍ଡ ବୁଲାଇବା କାରଣରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ। ପରେ ପରିବାର ଲୋକ ଡାକ୍ତରଖାନା ନେବାରୁ ଡ଼ାକ୍ତର ସ୍ନାୟବିକ ରୋଗ ହୋଇଥିବାର ସୂଚନା ଦେଲେ। ତାଙ୍କର ଚିକିତ୍ସା ପାଇଁ ଗୁଡ଼ିଏ ଅର୍ଥର ଆବଶ୍ୟକ ହେଲା। ଅନୁପମା ଜମିବାଡ଼ି ବିକ୍ରି କରି ଚିକିତ୍ସା କରାଇଲେ ମଧ୍ୟ ସୁଫଳ ହେଲା ନାହିଁ। ପରେ ଅର୍ଥଭାବରୁ ସ୍ୱାମୀଙ୍କୁ ଘରକୁ ଫେରେଇ ଆଣିଲେ। ଶିଶିର ଚିକିତ୍ସା ଅଭାବରୁ ଦିନକୁ ଦିନ ରୁଗ୍ଣ ହେବାକୁ ଲାଗିଲେ। ଶଯ୍ୟାଶାୟୀ ହୋଇ ୟା ଭିତରେ ପାଞ୍ଚ ବର୍ଷ ବିତିଗଲାଣି। ଘରର ରୋଜଗାରିଆ ମୁରବି ବ୍ୟାଧିଗ୍ରସ୍ତ ହୋଇଥିବାରୁ ଘରର ମେରୁଦଣ୍ଡ ଭାଙ୍ଗି ଯାଇଛି। ଅନୁପମା ଏକାକୀ ଦୁଇଟି କୁନି ଛୁଆଙ୍କ ପାଠ ପଢ଼ା ଖର୍ଚ୍ଚ ଓ ତେଲ ଲୁଣ ଘରର ସଂସାର ବୁଝିବାକୁ ଅସହାୟ ହୋଇ ପଡିଛନ୍ତି। ଏ କଥା ଅନନ୍ୟା ଫାଉଣ୍ଡେସନ ନଜରକୁ ଆସିବା କ୍ଷଣି ଅନନ୍ୟା ଫାଉଣ୍ଡେସନ ତରଫରୁ ତାଙ୍କ ପରିବାରକୁ ଯଥାଶୀଘ୍ର ମାସକ ପାଇଁ ଚାଉଳ, ଡ଼ାଲି, ପରିବା ସହ ପିଲାଙ୍କ ପଢ଼ିବା ପାଇଁ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି। ଏଭଳି ରାଶନ ପ୍ରତି ମାସରେ ଯୋଗାଇ ଦିଆଯିବ ବୋଲି ଅନନ୍ୟା ଫାଉଣ୍ଡେସନ ମୁଖ୍ୟାଳୟରୁ ସୂଚନା ମିଳିଛି।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *