କୋଣାର୍କରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା
କୋଣାର୍କରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା # ବର୍ଷାରେ ଶ୍ରଦ୍ଧାଳୁ ଭାବବିହ୍ବଳ କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ରାଜାରାମ ମଠ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭୋର ୪ଟା ସମୟରେ ଦ୍ବାର ଫିଟା ନୀତି ସଂପାଦନ କରାଯିବା ସକାଳ ଧୂପ, ମଇଲମ ନୀତି, ମଙ୍ଗଳ ଆଳତି, ମଧ୍ୟାହ୍ନ ଧୂପ, ହୋମଯଜ୍ଞ ଓ ଅନ୍ୟାନ୍ୟ ନୀତି କାନ୍ତି ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ସଂପାଦନ କରାଯାଇଥିଲା। ଏହା ପରେ ତିନି ରଥରେ ଚାରମାଳ ବନ୍ଧା ଯିବା ପରେ ଦିବା ୨ଟା ୩୦ ମିନିଟ ସମୟରେ କୋଣାର୍କ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ସେବାୟତ ମାନଙ୍କ ଦ୍ଵାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ କାର୍ଯ୍ୟ ଅନୁଷ୍ଠିତ ହୋଇ ଶ୍ରୀଜିଉମାନଙ୍କୁ ରଥାରୁଢ଼ କରାଯାଇଥିଲା ଏହା ପରେ ତିନି ରଥର ସାରଥି ଓ ପାର୍ଶ୍ବ ଦେବାଦେବୀ ମାନଙ୍କୁ ରଥାରୁଢ଼ କରାଯାଇ ତିନି ରଥରେ ଶ୍ରୀଜିଉମାନଙ୍କୁ ପାଟ ବସ୍ତ୍ର ଓ ରଙ୍ଗ ବେରଙ୍ଗର ଫୁଲରେ ସୁସଜ୍ଜିତ କରାଯାଇଥିଲା । ଏହା ପରେ ମହାରାଜ ଗୋପାଳ ଚନ୍ଦ୍ର ଦାଶ ପାଲିଙ୍କିରେ ବିଜେ କରି ତିନି ରଥରେ ରଥାରୁଢ଼ ଶ୍ରୀଜିଉମାନଙ୍କ ନିକଟରେ ଛେରା ପହଁରା ନୀତି ଧାର୍ମିକ ରୀତିନୀତି ଅନୁଯାୟୀ

ସଂପାଦନ କରାଯିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। କୋଣାର୍କ ରଥଯାତ୍ରାରେ ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ବେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିଲା। କୋଣାର୍କ ଥାନା ଏସଆଇ କେଦାର ନାଥ ଦୋରା ଙ୍କ ନେତୃତ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ସନ୍ଧ୍ୟା ୭ଟା ସମୟରେ ତିନି ରଥ ରାଉଳପାଟଣା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ଏହି ରଥଯାତ୍ରା କୁ କୋଣାର୍କ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ଟ୍ରଷ୍ଟି ଇଂ ଅମରେଶ୍ବର ନାୟକ, ପରିଚାଳକ ନିରଜଂନ ବାରିକ, ସମାଜସେବୀ ରାମକୃଷ୍ଣ ମହାନ୍ତି, ଗୋପାଳ ଦାଶ, ଗଗନ ବିହାରୀ ପାତ୍ର ସମେତ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା ଓ ରାଉଳପାଟଣା ଶ୍ରୀଗୁଣ୍ଡିଚା ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ।
