କେବେ ପୁରୀବାସୀଙ୍କ ପାଇଁ କୋହଳ ହେବ ଜଗା ଦର୍ଶନ, ଏହି ନିଷ୍ପତ୍ତି ଉପରେ ରହିଛି ଏଵେ ସମସ୍ତଙ୍କ ନଜର।
ପୁରୀବାସୀଙ୍କ ଜଗା ଦର୍ଶନ ପାଇଁ କଟକଣା କୋହଳ କରିବାକୁ ଜୋର୍ ଧରିଲା ଦାବି। ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ୍ ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିବା ବେଳେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦାବିରେ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ ଏନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଜଗା ଦର୍ଶନରେ ପୁରୀବାସୀଙ୍କ ପାଇଁ ଏବେ ବାଧକ ସାଜିଛି ଶ୍ରୀମନ୍ଦିରର ନୂଆ ଗାଇଡଲାଇନ୍। ଆରଟିପିସିଆର ନେଗେଟିଭ୍ ରିପୋର୍ଟ ନଚେତ୍ ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇ ଏବେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏହି ନିୟମ ମଧ୍ୟ ପୁରୀବାସୀଙ୍କ ପାଇଁ ଲାଗୁ କରାଯାଇଛି। ତେଵେ ପ୍ରଶାସନର ସମସ୍ତ ନୀତିନିୟମକୁ ପୁରୀବାସୀ ଅକୁଣ୍ଠ ସହଯୋଗ ଓ ସମର୍ଥନ ଦେଇ ଆସିଥିବାରୁ ସ୍ଥାନୀୟ ଅଧିବାସୀଙ୍କ ପାଇଁ ନୂଆ ଗାଇଡଲାଇନରେ କୋହଳ କରିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି। ଏହାର ପ୍ରତିବାଦରେ ଆଜି ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଖୁବଶୀଘ୍ର ପୁରୀବାସୀଙ୍କ ପାଇଁ କଟକଣା କୋହଳ କରାଯିବା ସହ କେଵଳ ମହାପ୍ରସାଦ କ୍ରୟ କରିବାକୁ ଚାହୁଁଥିବା ବ୍ୟକ୍ତୀଙ୍କୁ ଉତ୍ତରଦ୍ୱଆର ପଟେ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦେଵାକୁ ସେନା ପକ୍ଷରୁ ଦାବି ହୋଇଛି। ଶ୍ରୀଜଗନ୍ନାଥ ସେନାର ଏହି ଦାବିକୁ ନେଇ ଭକ୍ତମାନେ ମଧ୍ୟ ସମର୍ଥନ ଜଣାଇବା ସହ ପ୍ରଶାସନ ଏଦିଗରେ ପୁର୍ନବିଚାର କରିବାକୁ ନିବେଦନ କରିଛନ୍ତି ଭକ୍ତ।
ଦୀର୍ଘ ଚାରିମାସ ପରେ ଖୋଲିଛି ମନ୍ଦିର। ଗତମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ପ୍ରଥମେ ସେବାୟତ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ବିନାକଟକଣାରେ ପୁରୀବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଥିଲା। ତେବେ ଗତମାସ ୨୩ ତାରିଖରୁ ସାଧାରଣ ଦର୍ଶନ ବ୍ୟବସ୍ଥାରେ ପୁରୀବାସୀଙ୍କୁ ଛନ୍ଦି ଦିଆଯାଇଛି। ଫଳରେ ଦୈନିକ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ପୁରୀବାସୀଙ୍କୁ ଏହି କଟକଣା ମଧ୍ୟରେ ଶ୍ରୀମନ୍ଦିରକୁ ଯିବା ସମ୍ଭବପର ହେଇପାରୁନାହିଁ। ଅନ୍ୟପଟେ କେବଳ ମହାପ୍ରସାଦ କ୍ରୟ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ବିନାକଟକଣାରେ ଆନନ୍ଦବଜାର ଯିବାକୁ ଅନୁମତି ଦେବାପାଇଁ ଭକ୍ତଙ୍କ ପକ୍ଷରୁ ନିଵେଦନ କରାଯାଇଛି। ଖୁବଶୀଘ୍ର ବିଭିନ୍ନ ସେବାୟତ ନିଯୋଗଙ୍କ ସହ ଆଲୋଚନା କରାଯାଇ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଓ ମହାପ୍ରସାଦ କ୍ରୟ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ପୁରୀରୁ ରଣଜିତ ମିଶ୍ରଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।
