ଜଗା ଦର୍ଶନକୁ ନେଇ ଆନ୍ଦୋଳନର ଚେତାବନୀ ଦେଲା ଓକିଲ ସଂଘ

ପୁରୀ – ଆଜି ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ଦେଢବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଆସୁଛନ୍ତି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ତେଵେ ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯିବା ପରେ ପଶ୍ଚିମଦ୍ବାର ଦେଇ ପୁରୀବାସୀ ଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି। କିନ୍ତୁ କେବଳ ପଶ୍ଚିମଦ୍ବାର ନୁହେଁ ବରଂ ପୂର୍ବପରି ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ଚାରିଦୁଆର ଉନ୍ମୁକ୍ତ ରଖିବା ଦାବିରେ ଅଡି ବସିଛି ଓକିଲ ସଂଘ। କେଵଳ ସେତିକି ନୁହେଁ ବଡଦାଣ୍ଡ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ହୋଇଥିଲେ ମଧ୍ୟ ଶୃଙ୍ଖଳିତ ଦର୍ଶନ ନାମରେ ପ୍ରଶାସନ ତାହାକୁ ଅବରୋଧ କରି ସେଠାରେ ଲମ୍ବା ବ୍ୟାରିକେଡ ସହ ଅସ୍ଥାୟୀ ସେଡ୍ ନିର୍ମାଣ କରିଛନ୍ତି। ଯାହା ଆଇନ ବିରୋଧୀ ବୋଲି ଓକିଲ ସଂଘ ଦର୍ଶାଇଛି। ସେହିପରି ଟାଟା ପାୱାର ଲିମିଟେଡ଼ର ଗ୍ରାହକ ମାରଣ ନୀତିକୁ ସଂଘ ସମାଲୋଚନା କରିଛି। ତେଣୁ ଆସନ୍ତା ୧୫ ଦିନ ମଧ୍ୟରେ ଏସବୁ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *