ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’କୁ ମିଶନ୍-ମୋଡ୍ କାର୍ଯ୍ୟକାରୀ କରାଯିବ ।

ଭୁବନେଶ୍ୱର-୩୦.୦୮ .୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପୁଷ୍ଟି ମିଶନ (ଓପିଏମ)ର କାର୍ଯ୍ୟାନ୍ୱୟନ ଓ ରଣନୀତି ସମ୍ପର୍କରେ ଏକ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଶନିବାର ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ପୁଷ୍ଟିହୀନତାକୁ ଦୂର କରିବା, ଡିଜିଟାଲ ନିରୀକ୍ଷଣ ବଳରେ ସେବା ପ୍ରଦାନକୁ ସୁଦୃଢ଼ କରିବା ସହ ‘ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା’ ରେ ଅସମ୍ପୂର୍ଣ୍ଣ କୋଠାର ନିର୍ମାଣ କାର୍ଯ୍ୟ ଶେଷ କରିବା, ଆବଶ୍ୟକ ଥିବା ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରି ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକର ଭିତ୍ତିଭୂମି ସୁଦୃଢ଼ୀକରଣକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ମୃଣାଳିନୀ ଦର୍ସଓ୍ୱାଲ, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ମହିଳା ଓ ଶିଶୁବିକାଶ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟରେ ମାତୃ ଓ ଶିଶୁ ପୁଷ୍ଟିର ସ୍ଥିତିରେ ଉନ୍ନତି ଆଣିବା ସହ ପୁଷ୍ଟିହୀନତା ଦୂରୀକରଣ ପାଇଁ ମିଶନ୍-ମୋଡ୍‌ରେ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ଓଡ଼ିଶା ପୁଷ୍ଟି ମିଶନ’କୁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ମିଶନ୍-ମୋଡ୍ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଭାବେ କାର୍ଯ୍ୟକାରୀ କରିବା ସହ ଅଧିକ ପୌଷ୍ଟିକ ଅଭାବ ରହୁଥିବା ଚିହ୍ଟଟ ୧୮ଟି ଜିଲ୍ଲାରେ ଏହାକୁ ବିଶେଷ ଭାବେ କାର୍ଯ୍ୟକାରୀ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଛି । ଓଡ଼ିଶା ପୁଷ୍ଟି ମିଶନ ଅଧୀନରେ ଏହି ସବୁ ଜିଲ୍ଲାରେ ପ୍ରାଥମିକତା ଦିଆଯାଇଥିବା ୧୦୦ଟି ଆଇସିଡିଏସ୍ ପ୍ରକଳ୍ପ ଅନ୍ତର୍ଗତ ୨୨,୭୦୭ ଅଙ୍ଗନବାଡ଼ି କେନ୍ଦ୍ର, ପୁଷ୍ଟି ସୂଚକାଙ୍କ ଆଧାରରେ ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ କରୁଥିବା ଚିହ୍ନଟ ୨୨୨ ଟି ଅଙ୍ଗନୱାଡି କେନ୍ଦ୍ର ଏବଂ ମାଓ ପ୍ରଭାବିତ ଅଞ୍ଚଳରେ ଆସୁଥିବା ୧୫୯ ଟି ‘ଗ୍ରାମୋଦୟ’ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ମିଶାଇ ମୋଟ ୨୩,୦୮୮ ଟି ଅଙ୍ଗନୱାଡି କେନ୍ଦ୍ରକୁ ସାମିଲ କରାଯାଇଛି । ଏଥିରେ ରାଜ୍ୟର ଚିହ୍ନଟ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଅନ୍ତର୍ଭୁକ୍ତ ରହିଛନ୍ତି । ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଅଧୀନରେ ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଚିହ୍ନଟ କରାଯାଇଛି । ଏଥି ସହିତ ନୀତି ଆୟୋଗଙ୍କ ଦ୍ୱାରା ଚିହ୍ନଟ ୯ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ପୁଷ୍ଟିହୀନତାର ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ହସ୍ତକ୍ଷେପ ପାଇଁ ମିଶନରେ ୯ଟି ରଣନୀତିକ ସ୍ତମ୍ଭ- ଶୀଘ୍ର ଚିହ୍ନଟ, ସହାୟତା, ଶିକ୍ଷା, ପୁଷ୍ଟିବର୍ଦ୍ଧନ, ପୁଷ୍ଟିକର ଖାଦ୍ୟ, ବ୍ୟବହାରିକ ସଚେତନତା, ବିଶ୍ଳେଷଣ, ମୂଲ୍ୟାଙ୍କନ ଓ ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବ। ପୋଷଣ ଟ୍ରାକର ମାଧ୍ୟମରେ ଶିଶୁଙ୍କ ପୁଷ୍ଟି ସ୍ଥିତିର ନିୟମିତ ଚିହ୍ନଟ, ଡିଜିଟାଲ ଓ ତଥ୍ୟ ଭିତ୍ତିକ ନିରୀକ୍ଷଣକୁ ସୁଦୃଢ଼ କରାଯିବ। ଶିଶୁର ଜୀବନର ପ୍ରଥମ ୧,୦୦୦ ଦିନ, କମ୍ ଓଜନର ନବଜାତକ ଏବଂ ଶିଶୁଙ୍କ ପୁଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିସହ ‘ସୁପୋଷିତ ଓଡ଼ିଶା ମିଶନ’ ମାଧ୍ୟମରେ ଅଙ୍ଗନୱାଡି ସ୍ତରରେ ଗୁରୁତର କମ୍ ଓଜନ ଓ କ୍ଷୀଣତାର ଶିକାର ଶିଶୁଙ୍କ ସଂଖ୍ୟାକୁ ଶୂନ୍ୟ କରିବା ଲକ୍ଷ୍ୟ ରଖାଯାଇଛି। ମିଶନରେ ପୁଷ୍ଟିକର ଖାଦ୍ୟ ଯୋଗାଣ, ମାଇକ୍ରୋନ୍ୟୁଟ୍ରିଏଣ୍ଟ୍‌ର ଅଭାବ ପୂରଣ, ଖାଦ୍ୟ ସୁଦୃଢ଼ୀକରଣ, ପୁଷ୍ଟି ସମ୍ପର୍କିତ ସଚେତନତା ଏବଂ ଗୋଷ୍ଠୀ ସମୁଦାୟର ଅଂଶଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ରହିବ। ଗର୍ଭବତୀ ଓ ପ୍ରସୂତି ମା’ ଏବଂ କିଶୋରୀଙ୍କ ପାଇଁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ସହିତ ଗୁରୁତର ପୁଷ୍ଟିହୀନ ଶିଶୁଙ୍କ ପାଇଁ ବିଶେଷ ପୁଷ୍ଟି ସହାୟତା ବ୍ୟବସ୍ଥା କରାଯିବ। ପୁଷ୍ଟି କାର୍ଯ୍ୟକ୍ରମର ନିରୀକ୍ଷଣ ଓ ଗୁଣାତ୍ମକ ମୂଲ୍ୟାଙ୍କନ, ଜିଓ-ଟ୍ୟାଗ୍ଡ ଅଙ୍ଗନୱାଡି ପରିଦର୍ଶନ, ଲାଇଭ୍ ଡ୍ୟାସ୍‌ବୋର୍ଡ, ସ୍ୱାଧୀନ ମୂଲ୍ୟାଙ୍କନ ଏବଂ ଗୁଣବତ୍ତା ପରୀକ୍ଷଣ ଭଳି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଉପଲବ୍ଧ ତଥ୍ୟ ଓ ପ୍ରମାଣ ଆଧାରରେ ଆବଶ୍ୟକ ସ୍ଥାନରେ ଯୋଜନାରେ ସଂଶୋଧନ ଓ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରାଯିବ।୨୦୨୬–୨୭ ଓ ୨୦୨୭–୨୮ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ପୁଷ୍ଟି ମିଶନ ନିମନ୍ତେ ମୋଟ ₹୩୬୦.୬୮ କୋଟିର ପ୍ରସ୍ତାବିତ ବ୍ୟୟବରାଦ ରହିଛି । ଏହି ଅର୍ଥରାଶି ପୁଷ୍ଟିକର ଖାଦ୍ୟ, ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ, ସଚେତନତା, ନିରୀକ୍ଷଣ, ପୁଷ୍ଟି ସର୍ବେକ୍ଷଣ, ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ଓ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍‌ ସମ୍ପର୍କିତ କାର୍ଯ୍ୟକ୍ରମରେ ବ୍ୟୟ ହେବ । ଏଥି ସହିତ ବୈଠକରେ ‘ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା’ ଅଧୀନରେ ରାଜ୍ୟରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ଅସଂପୂର୍ଣ୍ଣ କେନ୍ଦ୍ରଗୁଡ଼ିକର ସମ୍ପୂର୍ଣ୍ଣକରଣ ଏବଂ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିପାଇଁ ୨୦୨୬–୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ବ୍ୟୟ ବରାଦ ରହିଥିବା ବେଳେ ଅସମ୍ପୂର୍ଣ୍ଣ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ସାରିବା ସହ ସୁରକ୍ଷା ଦୃଷ୍ଟିରୁ ପରବର୍ତ୍ତୀ ପର୍ଯ୍ୟାୟରେ ସେଥିରେ ପାଚେରୀ ନିର୍ମାଣ, ଆବଶ୍ୟକ ନୂତନ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ନିର୍ମାଣ ସହ ସେଥିରେ ପାଚେରୀ ସୁବିଧା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପିଲାମାନେ ଯେପରି ସହଜରେ ନିକଟସ୍ଥ ଅଙ୍ଗନବାଡିକୁ ଆସି ପାରିବେ, ସେଥିପାଇଁ ଜନବସତି ନିକଟରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *