ମହାପ୍ରଭୁଙ୍କୁ ଲାଗି ହେବ ଅହିଂସା ସିଲ୍କ ଖଣ୍ଡୁଆ
ପୁରୀ : ମହାପ୍ରଭୁଙ୍କୁ ଲାଗି ହେଉଥିବା ଖଣ୍ଡୁଆ ପାଟକୁ ଭକ୍ତ ଭାବାବେଗରେ ଦାନ କରିଥାଏ । ହେଲେ ସେ ଜାଣି ନ ଥାଏ ଏହି ରେଶମ ଖଣ୍ଡୁଆପାଟ ପ୍ରସ୍ତୁତ ଲାଗି ଲକ୍ଷ ଲକ୍ଷ ରେଶମ କୀଟଙ୍କୁ ମରାଯାଇ ରେଶମ ସଂଗ୍ରହ କରି ବସ୍ତ୍ର ପ୍ରସ୍ତୁତ କରାଯାଉଛି । ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଗୀତଗୋବିନ୍ଦ ଖଣ୍ଡୁଆପାଟ ଅଂହିସା ମାର୍ଗରେ ପ୍ରସ୍ତୁତ କରାଯିବାକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ସୋମବାର ମୁଖ୍ୟ ସଚିବ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଥମ ଥର ଲାଗି ରେଶମ କୀଟ ମରା ନଯାଇ ପ୍ରସ୍ତୁତ ହୋଇଥିବା ଖଣ୍ଡୁଆପାଟ ପ୍ରଦର୍ଶନ କରାଯାଇଥିଲା । ଏହାବାଦ୍ ପୂର୍ବରୁ ନୀତି ସବ୍କମିଟି ଓ ଛତିଶା ନିଯୋଗ ବୈଠକରେ ଅନୁମୋଦନ ହୋଇଥିବା ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ସୋମବାର ବୈଠକରେ ପାରିତ କରାଯାଇଛି ।
ଜୁନ୍ ୩ ଶନିବାର ଚତୁର୍ଦ୍ଦଶୀ ପୂର୍ବାହ୍ଣ ସାଢ଼େ ୧୧ଟାରେ ଠାକୁରଙ୍କ ସେନାପଟା ଲାଗି ଶେଷ ହେବ । ୧୯ ତାରିଖ ସୋମବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତଥା ନେତ୍ରୋତ୍ସବ । ସେଦିନ ସକାଳ ୮ଟାରେ ଅନବସର ତାଟି ଫିଟି ଭିତରକାଠ ନିକଟୁ ପରମାଣିକ ଦର୍ଶନ ୮ଟାରୁ ୯ଟା ଓ ସର୍ବସାଧାରଣ ଦର୍ଶନ ୯ଟାରୁ ସାଢ଼େ ୧୦ଟା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
