ବିପଦକୁ ଆମନ୍ତ୍ରଣ କରୁଛି ରାଉଳପାଟଣା – ପାଣିଛତ୍ର ଗ୍ରାମ୍ୟ ଉନ୍ନୟନ ରାସ୍ତା

କୋଣାର୍କ – କୋଣାର୍କ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିନସ୍ଥ ରାଉଳପାଟଣା – ପାଣିଛତ୍ର ଗ୍ରାମ୍ୟ ଉନ୍ନୟନ ରାସ୍ତାର ବନ୍ତୁଳା ହରିଜନ ସାହି ଠାରୁ ଅନସରା ପର୍ଯ୍ୟନ୍ତ ଦୀର୍ଘ ୧କିମି ରାସ୍ତା ଏକମାସରୁ ଉର୍ଦ୍ଧ୍ବ ସମୟ ଧରି ଖୋଳା ହୋଇ ପଡି ରହିଥିବା ବେଳେ କାର୍ଯ୍ୟ ଆରମ୍ଭ ନ ହେବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ବୃଦ୍ଧି ଆଶଙ୍କା ଦେଖାଦେଇଛି। ଖବରରୁ ପ୍ରକାଶ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଉଳପାଟଣା – ପାଣିଛତ୍ର ଗ୍ରାମ୍ୟ ଉନ୍ନୟନ ରାସ୍ତାର ରାଉଳପାଟଣା ଠାରୁ ଧନିତ୍ରୀ ବ୍ରିଜ ପର୍ଯ୍ୟନ୍ତ ଦୀର୍ଘ ୮କିମି ରାସ୍ତାର ଉଭୟ ପାର୍ଶ୍ଵର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ୭କୋଟି ୪୩ଲକ୍ଷ ଟଙ୍କା ବ୍ୟୟ କରାଯାଇ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଠିକାଦାରଙ୍କୁ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାସ୍ତା ବର୍ତ୍ତମାନ ୧୨ ଫୁଟ ବିଶିଷ୍ଟ ଥିଲା ବେଳେ ଗମନାଗମନ ସୁଗମ ନିମନ୍ତେ ୧୮ ଫୁଟିଆ ରାସ୍ତା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ଏହି ରାସ୍ତାର ବନ୍ତୁଳା ହରିଜନ ସାହି ଠାରୁ ଅନସରା ଛକ ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ଵରେ ପ୍ରଶସ୍ତିକରଣ କରିବା ପାଇଁ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଖୋଳା କାର୍ଯ୍ୟ କରିଥିଲେ ମଧ୍ୟ କାମ ଆରମ୍ଭ କରିନାହିଁ। ଫଳରେ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେଉଛି। ରାସ୍ତା ଉପରେ ବାଲି ଗଦା ହୋଇଥିବାରୁ ସଡକ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଆଗକୁ ମାଘସପ୍ତମୀ ବୁଡ ଥିବା ବେଳେ ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ କଟକ, ଜଗତସିଂହପୁର, କାକଟପୁର ଓ ଅସ୍ତରଙ୍ଗ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚନ୍ଦ୍ରଭାଗାକୁ ଆସିଥାନ୍ତି। ମାତ୍ର ରାସ୍ତା ଖନନ ଯୋଗୁଁ ରାସ୍ତାର ସଂକୀର୍ଣ୍ଣତା ବିପଦକୁ ଆମନ୍ତ୍ରଣ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହି ରାସ୍ତା ନିର୍ମାଣ କାମ ତ୍ୱରାନ୍ୱିତ କରିବା ପାଇଁ ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ଏକ୍ସ ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରି ଏହାର ତ୍ବରିତ କାର୍ଯ୍ୟକାରିତା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *