ହିଞ୍ଜିଳିକାଟୁରେ ମଶାଙ୍କ ରାଜ୍ : ପୌର ପ୍ରଶାସନର ନିଦ ଭାଙ୍ଗିବ କେବେ ?

ହିଞ୍ଜିଳିକାଟୁ:-୧୯/୦୫ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଗତ କିଛି ଦିନ ହେଲା ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସଞ୍ଜ ନଇଁଲେ ମଶା ଦଂଶନରେ ହିଞ୍ଜିଳିକାଟୁ ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ସନ୍ଧ୍ୟା ସମୟରେ ହିଞ୍ଜିଳିକାଟୁରେ ଏବେ ମଶାଙ୍କ ରାଜ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମଶା ଦାଉରୁ ରକ୍ଷା ପାଇବା ଲାଗି ସହରବାସୀ ଉପାୟ ଖୋଜୁଛନ୍ତି । ମଶା ବଂଶ ଦମନ ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ହିଞ୍ଜିିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ଥିବା ଚିଫା ମେସିନ ରହିଥିଲେ ମଧ୍ୟ ପୌର ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ମନେ ପଡିଲେ ଚିଫା ମେସିନକୁ ୩/୪ ମାସରେ ଥରେ ଲେଖାଏଁ ସହରରରେ ବୁଲାଇ କେବଳ ଧୂଆଁମୟ ପରିବେଶ ସୃଷ୍ଟି କରୁଥିବା ବେଳେ ମଶା ଦାଉରୁ ଲୋକେ ଆଦୌ ରକ୍ଷା ପାଇ ପାରୁନଥିବା ଅଭିଯୋଗ ହୋଇଛି । । ମଶା ବଂଶ ବୃଦ୍ଧି ଏବଂ ଲାଭା ନଷ୍ଟ କରିବା ନେଇ ତେଲ ମଧ୍ୟ ନିୟମିତ ଡ଼୍ରେନ ଗୁଡ଼ିକରେ ପକାଯାଉନଥିବା ଜଣାପଡ଼ିଛି । ଯାହା ଫଳରେ ବହୁ ବ୍ୟକ୍ତି ମଶା ଦଂଶନରେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପରିବେଶ ସଫା କରିବା ଜରୁରୀ ହୋଇପଡ଼ିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳ ଗୁଡ଼ିକରେ ଗତ କିଛି ଦିନ ହେଲା ମଶା ବଂଶ ବୃଦ୍ଧି ପାଇବା ସାଙ୍ଗକୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଢିବାରେ ଲାଗିଛି ।

ପ୍ରଶାସନର ମ୍ୟାଲେରିଆ ନିରାକରଣ ଯୋଜନା ବାଟବଣା ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ମ୍ୟାଲେରିଆ ନିରାକରଣ ଯୋଜନା ସଫଳତାର ସହ ଚାଲିଛି ବୋଲି ଡ଼ିଣ୍ଡିମ ପିଟା ଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ପୌରାଞ୍ଚଳର ବିଭିନ୍ନ ନାଳ ନର୍ଦ୍ଧମା ଗୁଡ଼ିକରେ ମାସ ମାସ ଧରି କେମିକାଲ ମିଶ୍ରିତ ଲାର୍ଭା କିଲର ପକାଯାଉନାହିଁ । ଅନ୍ୟପକ୍ଷରେ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗୁଡ଼ିକରେ ମଧ୍ୟ ମଶା ଧୂଆଁ ଛଡ଼ାଯାଉଡନଥିବାରୁ ମଶା ବଂଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୌରାଞ୍ଚଳର ବିଭିନ୍ନ ସାହି ବସ୍ତିର ଡ଼୍ରେନ ଗୁଡ଼ିକ ଉପରେ ବହୁ ବ୍ୟକ୍ତି ପ୍ଲେଟ ପକାଇ ଅବରୋଧ କରି ରଖିଥିବା ଯୋଗୁଁ ମାସ ମାସ ଧରି ଡ଼୍ରେନ ଗୁଡ଼ିକରେ ଅଳିଆ ଆବର୍ଜନା ଜମାଟ ବାନ୍ଧି ମଶା ବଂଶ ବୃଦ୍ଧି ହେଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ହିଞ୍ଜିଳିକାଟୁ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପଦକ୍ଷେପ ନେବା ସାଙ୍ଗକୁ ବ୍ୟାପକ ଜନସଚେତନତା ସୃଷ୍ଟି ନକଲେ ଆଗାମୀ ଦିନରେ ହିଞ୍ଜିଳିକାଟୁ ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *