କଲେଜ ଜାଗାରେ ପ୍ରାଚୀର ନିର୍ମାଣକୁ ନେଇ ବୃଦ୍ଧି ପାଉଛି ଛାତ୍ର ଅସନ୍ତୋଷ
କୋଣାର୍କ ୧୯.୦୪.୨୦୨୩– ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଭଗବତୀ ମହାବିଦ୍ୟାଳୟର ଜାଗାରେ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ପକ୍ଷରୁ ବେଆଇନ ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ନେଇ ଛାତ୍ର ଅସନ୍ତୋଷ ବୃଦ୍ଧି ପାଇବା ସହ ଏହି ବେଆଇନ ନିର୍ମାଣ ଉପରେ ରୋକ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନିମନ୍ତେ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଭଗବତୀ ମହାବିଦ୍ୟାଳୟ ଜାଗାରେ କାହା ପରାମର୍ଶରେ କେଉଁ ନିୟମ ଆଧାରରେ ବେଆଇନ ପ୍ରାଚୀର ନିର୍ମାଣ କରିବା ପାଇଁ ପ୍ରୟାସ କଲେ ଏଭଳି ବେଆଇନ କାର୍ଯ୍ୟକୁ କଲେଜର ଅଧ୍ୟୟନରତ ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ନାପସନ୍ଦ କରାଯାଇଛି। ସରକାରୀ ନିୟମ ଅନୁଯାୟୀ କୌଣସି ପ୍ରକଳ୍ପ ନିର୍ମାଣ ପୂର୍ବରୁ ବିଭାଗ ନାମରେ ଥିବା ଜାଗା ଆଧାରରେ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ସରକାରୀ ଅର୍ଥ ମଂଜରୀ କରାଯାଇଥାଏ। ମାତ୍ର କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ନାମରେ ଜାଗା ନ ଥାଇ କଲେଜ ଜାଗାରେ କେଉଁ ନିୟମ ଆଧାରରେ ବିଭାଗ ବଂଗଳା ନିମନ୍ତେ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରାଯାଇ ଅର୍ଥ ମଂଜୁର କରାଗଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅଧ୍ୟୟନରତ ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଦାବି କରାଯାଇଛି। କଲେଜ ଜାଗାରେ ଗ୍ରାମ୍ୟ ନିର୍ମାଣ ବିଭାଗ ବେଆଇନ ପ୍ରାଚୀର ନିର୍ମାଣ କରିବା ଖବର ପାଇ କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନର ଉପଦେଷ୍ଟା ରାଜକିଶୋର ମହାପାତ୍ରଙ୍କ ନେତୃତ୍ବରେ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ଏହି ଘଟଣାକୁ ନେଇ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ କଲେଜ ଜାଗାରେ ଏଭଳି ବେଆଇନ ନିର୍ମାଣ କାର୍ଯ୍ୟକୁ ନେଇ କୋଣାର୍କ ଥାନାରେ ଗତ ୧୦ତାରିଖ ଦିନ ଲିଖିତ ଅଭିଯୋଗ ହୋଇଛି ବୋଲି ପୁରାତନ ଛାତ୍ର ସଂଗଠନର ସଭାପତି ହୃଦାନନ୍ଦ ସେଠି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି ନିର୍ମାଣ କାର୍ଯ୍ୟ ଅନ୍ଯତ୍ର ସ୍ଥାନାନ୍ତରିତ କରା ନ ଗଲେ କୋଣାର୍କରେ ବ୍ଯାପକ ଛାତ୍ର ଆନ୍ଦୋଳନର ସୂତ୍ରପାତ ହେବ ବୋଲି ପୁରାତନ ଛାତ୍ର ସଂଗଠନ ପକ୍ଷରୁ ମତବ୍ୟକ୍ତ କରାଯାଇଛି।
