ଓଡ଼ିଶା ସୂଚନା କମିଶନରେ ହେବ ନାହିଁ ଗ୍ରୀଷ୍ମକାଳୀନ ଅବକାଶ

ଭୁବନେଶ୍ଵର ୨୧ ମଇ ୨୦୨୫:ଓଡ଼ିଶା ସୂଚନା କମିଶନଙ୍କ ଏକ ବୈଠକରେ କମିଶନ ଏହା ସ୍ଥିର କରିଛନ୍ତି ଯେ, ଆଗାମୀ ଗ୍ରୀଷ୍ମକାଳୀନ ଅବକାଶ ବେଳେ ମାମଲାଗୁଡ଼ିକର ଶୁଣାଣି ଜାରି ରହିବ । ବିଗତ ବର୍ଷ ଗୁଡ଼ିକରେ ଯେତେବେଳେ ଉଚ୍ଚ ନ୍ୟାୟାଳୟମାନ ବନ୍ଦ ଥିଲା ଏବଂ ଆଇନଜୀବୀମାନେ ଛୁଟିରେ ରହିଥିଲେ, ସେତେବେଳେ ଏହି ଅବଧି ମଧ୍ୟରେ ମାମଲାଗୁଡ଼ିକର ଶୁଣାଣି ହେଉ ନ ଥିଲା । ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା କହିଛନ୍ତି ଯେ ସୂଚନା କମିଶନ ଏକ ପୂର୍ଣାଙ୍ଗ କୋର୍ଟ (ନ୍ୟାୟାଳୟ) ନୁହେଁ, ତେଣୁ ଗ୍ରୀଷ୍ମକାଳୀନ ଛୁଟି (ଅବକାଶ) ରହିବ ନାହିଁ । ଯେହେତୁ ସୂଚନା ଅଧିକାର ଅଧିନିୟମରେ ଥିବା ବ୍ୟବସ୍ଥାଗୁଡ଼ିକ ଅତ୍ୟନ୍ତ ସରଳ ତେଣୁ ଆବେଦନକାରୀଙ୍କୁ କୌଣସି ବୃତ୍ତିଗତ ଆଇନଜୀବୀଙ୍କ ସହାୟତା ନ ନେଇ ମଧ୍ୟ ନିଜ ଅଭିଯୋଗ କରି ପାରିବେ, ଏଣୁ ଶୁଣାଣି ବନ୍ଦ ହେବା ଉଚିତ ନୁହେଁ ।

ଶ୍ରୀ ପରିଡ଼ା ଏହା ଦର୍ଶାଇଛନ୍ତି ଯେ ଗତ କିଛି ବର୍ଷ ଧରି ଅନ୍ତିମ ଫଇସଲା ପାଇଁ ୨୦,୦୦୦ରୁ ଉର୍ଦ୍ଧ୍ବ ମାମଲାମାନ ବିଚାରାଧୀନ ରହିଛି । କମିଶନ ଗ୍ରୀଷ୍ମ ଅବକାଶ ନେଲେ ଏହି ବିଷୟଗୁଡ଼ିକ ଶୁଣାଣିରେ ଆହୁରି ଅଧିକ ବିଳମ୍ବ ହେବ ଏବଂ ଆର.ଟି.ଆଇ (RTI) ଆବେଦନକାରୀମାନେ ଅଯଥା ହଇରାଣ ହେବେ । କମିଶନ ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ଯଦି କୌଣସି ଆବେଦନକାରୀ ଦୀର୍ଘ ଦିନ ଧରି ବିଚାରାଧୀନ ଭାବେ ପଡ଼ି ରହିଥିବା ଯେକୌଣସି ମାମଲାର ଉଠାଣ (ପ୍ରତ୍ୟାହାର) କରିବାକୁ ଚାହାଁନ୍ତି, ତେବେ ସେହି ଚାହୁଁ ଥିବା ମାମଲାର ଉଠାଣ ମାମଲାରେ ଥିବା ତାଙ୍କର ପରିଚୟ ପତ୍ର ସହିତ କୌଣସି ଏକ ସାଧାରଣ ଚିଠି କମିଶନଙ୍କୁ ପଠାଇବେ । ଏପରି ମାମଲାରେ ଦୂର ବାଟରୁ ଯାତ୍ରା କରି ଆସୁଥିବା ଆବେଦନକାରୀଙ୍କୁ ନିଜେ ବ୍ୟକ୍ତିଗତ ଭାବେ ନ୍ୟାୟାଳୟରେ ହାଜିର ହେବାକୁ ପଡିବ ନାହିଁ । କମିଶନଙ୍କ ନିଷ୍ପତ୍ତିଗୁଡ଼ିକୁ ଆବେଦନକାରୀଙ୍କୁ ଡାକ ଏବଂ ଇ-ମେଲ୍ ଜରିଆରେ ଅବଗତ କରାଯିବ ।

Leave a Reply

Your email address will not be published. Required fields are marked *