ମା’ ନାମରେ ଗୋଟିଏ ଗଛ ପର୍ଯ୍ୟଟନ ବିଭାଗ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭଦ୍ରକ । ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ, ସଚରାଚର ସୃଷ୍ଟିରେ ଉଭୟ ଉଭିଦ ଓ ପ୍ରାଣୀ ପରସ୍ପର ନିର୍ଭରଶୀଳ । ଛାଇ, ଫୁଲ, ଫଳ, ପତ୍ର, କାଠ, ଅମ୍ଳଜାନ ଆଦି ଗଛ ଆମକୁ ଦେବା ସହ ମୃଭିକା ସଂରକ୍ଷଣ ଓ ବୃଷ୍ଟି ସଞ୍ଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପରିବେଶକୁ ଗଛଲତା କେବଳ ସବୁଜ ସୁନ୍ଦର ରଖେ ନାହିଁ ପରିବେଶ ପ୍ରଦୂଷଣ ରୋକିବାରେ ଗଛର ଅବଦାନ ଅନନ୍ୟ । ଆଜିର ସମୟରେ ପ୍ରଗତି ସହ ତାଳଦେଇ ସହରାଞ୍ଚଳ, ଶିଳ୍ପାଞ୍ଚଳ, ରାସ୍ତା ଘାଟ, କୋଠା ବାଡ଼ିର ସଂଖ୍ୟାବୃଦ୍ଧି ଘଟି ଚାଲିଥିଲା ବେଳେ ଜଙ୍ଗଲ ହ୍ରାସ, ବୃକ୍ଷରୋପଣ ବଦଳରେ ବୃକ୍ଷ ଛେଦନ ସମସ୍ତଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଛି । ଏହି ଆଧାରରେ ବୃକ୍ଷ ରୋପଣ ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରଣୀତ “ ଏକ ପେଡ଼୍ ମା କେ ନାମ” ସରକାରୀ ଯୋଜନାରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ପର୍ଯ୍ୟଟନ ଅନୁଭାଗ ଜରିଆରେ ମୋଟେଲ ଛକସ୍ଥିତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଡ଼େପୁଟି କଲେକ୍ଟର ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟଟନ ଅଧୁକାରୀ କାର୍ଷିକ ନାଥ ମଣ୍ଡଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥ୍ ଭାବେ ଆସିଷ୍ଟାଣ୍ଟ କଲେକ୍ଟର ସୁଧାଂଶୁ ମୋହନ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରମୁଖ ଏଥିରେ ଯୋଗ ଦେଇ ଚାରା ରୋପଣ କରିଥିଲେ । ବୃକ୍ଷ ରୋପଣ କରି ଏହି ସୁନ୍ଦର ଅଭିଯାନ କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ଶ୍ରୀଯୁକ୍ତ ମଣ୍ଡଳ ଜନସାଧାରଣଙ୍କୁ ଜଣାଇଛନ୍ତି । ବଉଳ, ଅଁଳା, ପିଜୁଳି, ପଣସ, ବାହାଡ଼ା, ଲିମ୍ବ, ଆମ୍ବ, ବେଲ, ନଡ଼ିଆ ଆଦି ଗଛର ଚାରା ଏଠାରେ ରୋପଣ କରାଯାଇଥିଲା । ବିଭାଗୀୟ କର୍ମଚାରୀ ରସିକ ମୋହନ ମହାନ୍ତି, ସ୍ଵାଗତିକା ସାହୁ, ଦୁର୍ଯ୍ୟୋଧନ ଦାସ, ବନମାଳି ପ୍ରଧାନ, ଶ୍ୟାମସୁନ୍ଦର ଜେନା, ମିନତୀ ସିଂ, ରାଜେନ୍ଦ୍ର ମହାପାତ୍ର, ମନୋଜ କୁମାର ବେହେରା ପ୍ରମୁଖ ଏହି କାର୍ଯକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *