ପୁରୀ ଜିଲ୍ଲା ଅବଦାନ ପଞ୍ଚାୟତର ସିଂହାରପାଳ ଠାରେ ସୁନାମୀ ମକଡ୍ରିଲ

ସିଂହାରପାଳରେ ସୁନାମୀ ମକଡ୍ରିଲ କୋଣାର୍କ – କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ସିଂହାରପାଳରେ ସୋମବାର ସକାଳେ ସୁନାମୀ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଯୋଗରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମୁଦ୍ର ଉପକୂଳରେ ଥିବା ସିଂହାରପାଳ ମୌଜାର କଅଁରପୁର, ନଡ଼ିଆମଠ ଓ ମୂଷାପଦା ଗ୍ରାମରେ ବ୍ୟାପକ ମକଡ୍ରିଲ ହୋଇଥିଲା। ତିନୋଟି ଗ୍ରାମରେ ପୂର୍ବ ସୂଚନା ମୁତାବକ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୁନାମୀ ଆସୁଛି ବୋଲି ସତର୍କ ସୂଚନା ଦିଆଯାଇଥିଲା। ପରେ ସେଠାର ଜନ ସାଧାରଣ ମାନଙ୍କୁ ଗାଡି ଯୋଗେ ୩ କିମି ଦୂର ସୁରକ୍ଷିତ ସ୍ଥାନ ଚିତ୍ରେଶ୍ୱରୀ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୁନାମୀ ସଚେତନତା ସୃଷ୍ଟି କରାଯିବା ସହ ସୁନାମୀ ସମୟରେ କିପରି ନିଜ ସହ ଅନ୍ୟକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବ ସେ ନେଇ ମକଡ୍ରିଲ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅବଦାନ ସରପଞ୍ଚ ଲକ୍ଷ୍ମୀପ୍ରିୟା ସେଣ, ଜିପିଡିଓ ତଥା ନୋଡାଲ ଅଫିସର ରଞ୍ଜନ କୁମାର ବେହେରା, ଅତିରିକ୍ତ ନୋଡାଲ ଅଧିକାରୀ ଦେବିଦତ୍ତ ଜେନା, ପୁର୍ବତନ ସରପଞ୍ଚ ଲକ୍ଷ୍ମୀନାରାୟଣ ଜେନା ଓ ଶଶୀଭୂଷଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆପଦ ମିତ୍ର ସୁନୀତା ସାହୁ ସୁରକ୍ଷା ଓ ଉଦ୍ଧାର ଉପରେ ବ୍ୟାପକ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା, ବୃଦ୍ଧ ବୃଦ୍ଧାଙ୍କ ସହ ଅଙ୍ଗନବାଡ଼ି କର୍ମୀ, ସ୍ବେଚ୍ଛାସେବୀ ଓ ଜନସାଧାରଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ କହ୍ନେଇ ଚରଣ ପ୍ରଧାନ ଓ ଏଡିଇଓ ଚନ୍ଦ୍ରକାନ୍ତ ପରିଡ଼ା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *