ସରକାରୀ ଯୋଜନାରୁ ବଂଚିତ ବିଷ୍ଣୁ ଚରଣ

ତାଳଚେର ,ଅନଗୁଳତାଳଚେର ବ୍ଲକ ଚାଇଁପାଳ ପଞ୍ଚାୟତ ଅନ୍ତର୍ଗତ ଖୁଲୁଆ ଗ୍ରାମର ବିଷ୍ଣୁ ଚରଣ ପଟ୍ଟନାୟକ ଦୀର୍ଘ ବର୍ଷରୁ ଛାଣ ଛପର କୁଡ଼ିଆରେ ପରିବାର ସହ ରହୁଛନ୍ତି । ରାଜ୍ୟ ସରକାରଙ୍କର ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନାରୁ ବଞ୍ଚିତ ଅଛନ୍ତି । ଯୋଜନା ବିଷ୍ଣୁଙ୍କ ପାଇଁ ସାତ ସପନ ହୋଇଯାଇଛି । ସ୍ତ୍ରୀ ସୁମିତ୍ରା ଦୁଇପୁଅ ଓ ୮୦ବର୍ଷର ଶଯ୍ୟାଶାୟୀ ରୋଗୀଣା ମାକୁ ନେଇ ବିଷ୍ଣୁଙ୍କ ତେଲଲୁଣର ମୂଳ ମଜୁରିଆ ସଂସାର । ଝାଟିମାଟି ନୁଆଁଣିଆ ଚାଳ ଛପର ଘରେ ସପରିବାର ରହି ଆସୁଛନ୍ତି । ବର୍ଷା ହେଲେ ଏମାନଙ୍କ ଦୁର୍ଦ୍ଦଶା ନକହିବା ଭଲ କାଦୁ ପଚପଚ ପାଣି ଘର ଭିତରେ ଭଙ୍ଗା କାନ୍ଥ କେତେବେଳେ ଘର ଭୁଶୁଡି ପଡିବ କିଛି କହିହେବନାହିଁ । ଭୟରେ ବେଳେବେଳେ ପଡିଶା ଘରର ଏରୁଣ୍ଡି ତାଙ୍କୁ ଆଶ୍ରୟ ଦେଉଛି। ପକ୍କା ଘର ଖଣ୍ଡିଏ ପାଇବା ପାଇଁ ବିଷ୍ଣୁ ଓ ତାଙ୍କମା ସୁଷମା ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଠାରେ ଦରଖାସ୍ତ ଦେଇ କେତେ ଗୁହାରି କରିଛନ୍ତି ମାତ୍ର ଏସବୁ ତାଙ୍କପାଇଁ ପାଣିର ଗାର ହେଇଯାଇଛି । ଆଜକୁ ୧୫ବର୍ଷ ହେବ ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଗୁରୁଜାଙ୍ଗୁଲି ପଞ୍ଚାୟତରେ ତିନିତିନି ଥର ନିର୍ବାଚିତ ସରପଞ୍ଚଙ୍କୁ ଗୁହାରି କରି କରି କୌଣସି ସୁଫଳ ମିଳିଲା ନାହିଁ ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି, ତୁମ ନାଁ ତାଲିକାରେ ଅଛି ଆରଥରକୁ ଘର ମିଳିବ ଏତିକି ଶୁଣିଶୁଣି ଶେଷରେ ଭଙ୍ଗା ଦଦରା ଘରେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି । ସୂଚନା ଥାଉକି ବିଷ୍ଣୁ ଥର୍ମାଲ ପ୍ଲାଣ୍ଟରେ ଶ୍ରମିକ ଭାବେ କାମକରି ପରିବାର ଚଳାଇ ଆସୁଥିଲେ ପ୍ଲାଣ୍ଟ ବନ୍ଦ ହୋଇଯିବାରୁ ଏବେ ହାତ ଉପରେ ହାତ ବାନ୍ଧି ଘରେ ବସିଛନ୍ତି । ତାଙ୍କର ଏହି ମର୍ମସ୍ପର୍ଶୀ ଦୁର୍ଦ୍ଦିନରେ ସରକାରୀ ସ୍ତରରେ ମୁଣ୍ଡ ଗୁଞ୍ଜିବାକୁ ଶୀଘ୍ର ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣ ଜନତା ଏହି ପରିବାର ତରଫରୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *