ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୪୬ ତମ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୧.୦୪.୨୦୨୬ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଏକ ବିକଶିତ ରାଜ୍ୟରେ ପରିଣତ କରିବାରେ ରାଜ୍ୟର ମିଶନକୁ ସଶକ୍ତ କରିବା ପାଇଁ, ଓଡ଼ିଶା ସରକାର ଆଜି ଅର୍ଥନୈତିକ ବୃଦ୍ଧି ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖୁଥିବା ନୂତନ ରଣନୈତିକ ଔଦ୍ୟୋଗିକ ପୁଞ୍ଜିନିବେଶଗୁଡ଼ିକୁ ଅନୁମୋଦନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ଏକ ଫଳପ୍ରଦ ଶିଳ୍ପାୟନ ମଡେଲ ଗ୍ରହଣ କରିଛି, ଯାହା ପୁଞ୍ଜି ବିନିଯୋଗ ସୁବିଧା, ଦ୍ରୁତ ପ୍ରକଳ୍ପ ଗ୍ରାଉଣ୍ଡିଂ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେଇଛି । କେବଳ ଗତ ଦୁଇ ବର୍ଷ ମଧ୍ୟରେ, ରାଜ୍ୟ ସରକାର ସଫଳତାର ସହ ୧୫୦ ରୁ ଅଧିକ ଶିଳ୍ପ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି ଏବଂ ଉଦଘାଟନ କରିଛନ୍ତି । ଫଳରେ ରାଜ୍ୟରେ ପୁଞ୍ଜି ବିନିଯୋଗର ଉଦ୍ଦେଶ୍ୟ ବାସ୍ତବତାରେ ପରିଣତ ହେଉଛି ଏବଂ ଶିଳ୍ପାୟନ ଦିଗରେ ଦ୍ରୁତ ଅଗ୍ରଗତି, ରାଜ୍ୟର ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ରାଜ୍ୟସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟି( ଏସଏଲଏସଡବ୍ଲୁସିଏ) ର ୧୪୬ ତମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟ ୩୮୭୭.୧୪ କୋଟି ନିବେଶ ଲକ୍ଷ୍ୟ ରଖୁଥିବା ୧୮ଟି ଶିଳ୍ପ ପ୍ରକଳ୍ପକୁ ମଂଜୁର କରାଯାଇଛି । ଏହି ପ୍ରକଳ୍ପଗୁଡିକ ବାଲେଶ୍ୱର, ଦେବଗଡ଼, ଗଞ୍ଜାମ, ଯାଜପୁର, ଝରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ୧୧ ଟି ଜିଲ୍ଲାରେ ୭୫୬୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଶା କରାଯାଉଛି । ୧୪୬ତମ ଏସଏଲଏସଡବ୍ଲୁସିଏ ବୈଠକରେ ଅନୁମୋଦନ ମିଳିଥିବା ପ୍ରକଳ୍ପଗୁଡ଼ିକ ଉନ୍ନତ ଉତ୍ପାଦନ, ସବୁଜ ଶିଳ୍ପ, ଭିତ୍ତିଭୂମି, ସ୍ୱାସ୍ଥ୍ୟ ସେବା ଏବଂ ପର୍ଯ୍ୟଟନ ଇକୋ ସିଷ୍ଟମ ସହିତ ଜଡ଼ିତ ରହିଛି ଯାହାକି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୃଷ୍ଟିକୁ ସୁନିଶ୍ଚିତ କରିବ । ଧାତୁ, ଇସ୍ପାତ ଏବଂ ଏଲୁମିନିୟମ୍ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଧାତୁ ଏବଂ ମୂଲ୍ୟଯୁକ୍ତ ଉତ୍ପାଦକୁ ସୁଦୃଢ଼ କରିବାକୁ, ରୁନାୟା ଏକ୍କାର୍ଟ ଆଲୁମିନିୟମ ପାଉଡର ପ୍ରାଇଭେଟ୍ ଲିମିଟେଡ୍ ଏକ ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ଉତ୍ପାଦନ ସୁବିଧା ସ୍ଥାପନ କରିବ, ଯାହା ଉନ୍ନତ ପଦାର୍ଥ ଉତ୍ପାଦନ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ମୂଲ୍ୟଯୁକ୍ତ ଉତ୍ପାଦକୁ ପ୍ରୋତ୍ସାହନ ଦେବ । ଏହି ପ୍ରକଳ୍ପ ଝାରସୁଗୁଡ଼ା ଜିଲ୍ଲାରେ ୩୦୦ କୋଟି ଟଙ୍କା ନିବେଶରେ ୫୦୦ ନିଯୁକ୍ତି ସୃଷ୍ଟି କରିବ । ଧାତବ ଇକା ସିଷ୍ଟମର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ, ସ୍କାନ ଷ୍ଟିଲ୍ସ ଲିମିଟେଡ୍ , ଜୟ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାଓ୍ୱାର ଲିଃ. ଏବଂ ଏସ୍ ଏସ୍ ଆଲୁଫଏଲ୍ସ ଲିମିଟେଡ୍ ଇସ୍ପାତ, ଲୌହ ଏବଂ ଫେରୋ-ଆଲୟ ଉତ୍ପାଦନ କ୍ଷମତା ବୃଦ୍ଧି କରିବେ, ଯାହା ଓଡ଼ିଶାକୁ ଭାରତର ପ୍ରମୁଖ ଧାତୁ ଉତ୍ପାଦନ କେନ୍ଦ୍ର ଭାବେ ସୁଦୃଢ କରିବା ସହିତ ଶିଳ୍ପ ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ଏହି ପ୍ରକଳ୍ପ ସୁନ୍ଦରଗଡ଼ ଜିଲ୍ଲାରେ ୫୦୩.୬୮ କୋଟି ଟଙ୍କା ନିବେଶରେ ୫୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖିଛି । ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ ଝାରସୁଗୁଡାରେ ଏକ ବିସ୍ଫୋରକ ଉତ୍ପାଦନ ସୁବିଧା ସ୍ଥାପନ କରିବ । ଏହି ପ୍ରକଳ୍ପ ଦ୍ୱାରା ଦେବଗଡ ଜିଲ୍ଲାରେ ୨୧୦ .୧୦ କୋଟି ଟଙ୍କା ନିବେଶ ସହ ୯୧୦ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି । ଉଚ୍ଚ-ଜ୍ଞାନକୌଶଳ ଉତ୍ପାଦନକୁ ପ୍ରୋତ୍ସାହିତ କରି ଏନଭାୟର ଇଲେକ୍ଟ୍ରୋଡାଇନ୍ ଲିମିଟେଡ୍ ଖୋର୍ଦ୍ଧାରେ ୧୩୬.୮୭ କୋଟି ଟଙ୍କା ନିବେଶରେ ୩୨୬ ନିଯୁକ୍ତି ଲକ୍ଷ୍ୟ ରଖି ଏକ ଇଏସଡିଏମ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମରେ ଯୋଗଦାନ ସହ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କୁଶଳୀ ନିଯୁକ୍ତି ସୃଷ୍ଟିକୁ ସମର୍ଥନ କରିବ । ଓଡ଼ିଶା ସ୍ୱାସ୍ଥ୍ୟସେବା ସଂପର୍କିତ ଉତ୍ପାଦନ କ୍ଷେତ୍ରରେ ତାହାର ପ୍ରଭାବକୁ ବିସ୍ତାର କରୁଛି, ଯେଉଁଥିରେ ହାର୍ମନ୍ ଫିନୋକେମ୍ ଲିମିଟେଡ୍ ଗୋପାଳପୁର, ଗଞ୍ଜାମରେ ୫୩୦ କୋଟି ନିବେଶରେ ୯୦୦ ନିଯୁକ୍ତି ସୃଷ୍ଟି ସହ ଏକ ଔଷଧ ଉତ୍ପାଦନକାରୀ ୟୁନିଟ୍ସ ସ୍ଥାପନ କରିବ ଏବଂ ଆମ୍ବିଟେକ୍ ହେଲଥ କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୧ କୋଟି ଟଙ୍କା ନିବେଶରେ ୩୬୯ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖି ଏକ ଚିକିତ୍ସା ଉପକରଣ ଉତ୍ପାଦନ ସୁବିଧା ସ୍ଥାପନ କରିବ । ସର୍କୁଲାର ଅର୍ଥନୀତି ଏବଂ ସ୍ଥାୟୀ ଉଦ୍ୟୋଗ କ୍ଷେତ୍ରରେ ଶିଳ୍ପାୟନ ଲକ୍ଷ୍ୟ ସହ ସଂଯୁକ୍ତ ହୋଇ ଖୋର୍ଦ୍ଧାଠାରେ ସାଉଥ ବ୍ଲକ୍ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍ ପ୍ଲାଷ୍ଟିକ୍ ଏବଂ ଧାତୁ ଉତ୍ପାଦର ପୁନଃଚକ୍ରଣ ପାଇଁ ଏକ ସମନ୍ୱିତ ସୁବିଧା ଯୋଗାଇବ । ଏଥିରେ ୧୧୧ .୬୪ କୋଟି ଟଙ୍କା ନିବେଶରେ ୧୨୦ ନିଯୁକ୍ତି ସୃଷ୍ଟି ହେବ । ଭିତ୍ତିଭୂମି ଏବଂ ଶିଳ୍ପ ଆନୁଷଙ୍ଗିକ କ୍ଷେତ୍ରରେ ତାମିଲନାଡୁ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଲ୍ପସ୍ ମାଇନିଂ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଙ୍କ ଦ୍ୱାରା ଝାରସୁଗୁଡା ଜିଲ୍ଲାରେ ଯଥାକ୍ରମେ ୧୧୩ .୪୦ କୋଟି ଏବଂ ୫୨ କୋଟି ଟଙ୍କା ନିବେଶରେ ୨୫୦ ଏବଂ ୧୨୦ ନିଯୁକ୍ତି ସୃଷ୍ଟି କରିବେ । ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରରେ ବାଲେଶ୍ୱର ସିପ୍ ୟାର୍ଡ ଏବଂ ଇନ୍ଫ୍ରା ପ୍ରା. ଲିମିଟେଡ୍ ବାଲେଶ୍ୱରରେ ଜାହାଜ ନିର୍ମାଣ ଓ ମରାମତି ଏବଂ ଯାନ୍ତ୍ରିକ ଭାସମାନ ଭେସେଲ୍ସ ନିର୍ମାଣ କରିବ, ଯାହା ଓଡ଼ିଶାକୁ ତଟୀୟ ଏବଂ ସାମୁଦ୍ରିକ ଶିଳ୍ପ କାର୍ଯ୍ୟକଳାପରେ ଉଦୀୟମାନ କେନ୍ଦ୍ର ଭାବରେ ଅବସ୍ଥାପିତ କରିବ । ଏହି ପ୍ରକଳ୍ପରେ ୧୫୦ କୋଟି ନିବେଶ ସହ ୬୦୦ ନିଯୁକ୍ତି ଲକ୍ଷ୍ୟ ରହିଛି । ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ସମ୍ବଲପୁରରେ ଜାସ୍ କନସ୍ଟ୍ରକ୍ସନ୍ସ ପ୍ରାଇଭେଟ୍ ଲିମିଟେଡ୍, ଖୋର୍ଦ୍ଧାରେ ରଥ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍, କେନ୍ଦୁଝରରେ କେନ୍ଦୁଝର ରିଗାଲ୍ ପାରାଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍, ପୁରୀରେ କାର୍ୟନ୍ ଭେଞ୍ଚର୍ସ୍ ପ୍ରାଇଭେଟ୍ ଲିମିଟେଡ୍, କୋରାପୁଟରେ ସୂର୍ଯ୍ୟ ଇକୋ ରିସୋର୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପୁରୀରେ ଚତୁର୍ଭୁଜ ହୋଟେଲ୍ ଏବଂ ରିସର୍ଟ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୬ଟି ନୂତନ ଆତିଥ୍ୟ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ତାରକା ବିଶିଷ୍ଟ ହୋଟେଲ ଏବଂ ରିସୋର୍ଟ ସ୍ଥାପିତ ହେବ । ଏସବୁ ପ୍ରକଳ୍ପରେ ୭୦୦ କୋଟିରୁ ଊର୍ଦ୍ଧ୍ୱ ନିବେଶରେ ପ୍ରାୟ ୧୨୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଏହି ନିବେଶଗୁଡିକ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପର୍ଯ୍ୟଟନ ଅନୁଭବକୁ ବୃଦ୍ଧି ସହ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ତ୍ୱରିତ ଶିଳ୍ପାୟନ ପ୍ରକ୍ରିୟା ରାଜ୍ୟର ଶକ୍ତିଶାଳୀ ଶାସନ ବ୍ୟବସ୍ଥା, ନିବେଶକମାନଙ୍କର ଆତ୍ମବିଶ୍ୱାସ ଏବଂ ଦକ୍ଷ ଅନୁମୋଦନ ବ୍ୟବସ୍ଥା ଦ୍ୱାରା ସମ୍ଭବ ହୋଇପାରିଛି । ଏହାର ଫଳସ୍ୱରୂପ, ଓଡ଼ିଶାରେ ଶିଳ୍ପ ବିକାଶରେ ନିରନ୍ତର ପ୍ରଗତି ଦେଖାଯାଉଛି । ନୀତି ଗଠନରୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ସକ୍ରିୟ ପଦକ୍ଷେପ ନିବେଶକମାନଙ୍କର ବିଶ୍ୱାସକୁ ଗୁରୁତ୍ୱପୂର୍ଣ୍ଣ ଭାବେ ସୁଦୃଢ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଶିଳ୍ପ ଅଭିବୃଦ୍ଧି ଇଂଜିନ୍ କେନ୍ଦ୍ର ହେବା ସହ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭ ’ ଜାତୀୟ ଦୃଷ୍ଟିକୋଣକୁ ଅବଦାନ ପାଇଁ ଲକ୍ଷ୍ୟ ଦିଗରେ ନିରନ୍ତର ଏବଂ ଦ୍ରୁତ ଅଗ୍ରସର ହେଉଛି ।
