ଜିଲ୍ଲା ସ୍ତରୀୟ ୩୨ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା -୨୦୨୬ ରାଜ୍ୟ ସ୍ତରକୁ ୩ ଜଣ ମନୋନୀତ –
ଯାଜପୁର, ୦୩ ନଭେମ୍ବର, ୨୦୨୬: ଯାଜପୁର ମୁନିସିପାଲିଟି ଅନ୍ତର୍ଗତ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ଯାଜପୁର ଦ୍ୱାରା ଜିଲ୍ଲା ସ୍ତରୀୟ ୩୨ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲାର ୨୭ ଟି ବିଦ୍ୟାଳୟର ୫୪ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କର ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶଗ୍ରହଣ କରିଥିଲେ l ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ଅତିଥି ରୂପେ ଜିଲ୍ଲା ସଂଯୋଜକ ତଥା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି, ଜିଲ୍ଲା ଶୈକ୍ଷିକ ସଂଯୋଜକ ଡ଼. ଅକ୍ଷୟ କୁମାର ପଣ୍ଡା ଓ ୩ ଜଣ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଅଭିଜ୍ଞ ଶିକ୍ଷାବିତ୍ତ ମିହିର କୁମାର ନାୟକ, ମୋତିଊର ରେହେମାନ ଓ ରାଜୀବ ଲୋଚନ ରାଉତ ବିଚାରକ ରୂପେ ଯୋଗଦାନ କରିଥିଲେ lଉକ୍ତ ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ “ନିରନ୍ତରତା ସକାଶେ ବୈଜ୍ଞାନିକ ନବ ସୃଜନ” ଉପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଗବେଷଣା ପତ୍ରମାନ ବିଚାରକମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ l ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ସେମାନଙ୍କର ପରିବେଶ ଓ ସ୍ଥାନୀୟ ସମସ୍ୟା ଗୁଡିକୁ ଚି଼ହ୍ନଟ, ଅଧ୍ୟୟନ ଏବଂ ତାର ସମାଧାନ କରିବାର ପ୍ରକଳ୍ପ ଗୁଡିକୁ ବୈଜ୍ଞାନିକ ଢଙ୍ଗରେ ଉପସ୍ଥାପନା କରିଥିଲେ l ଉକ୍ତ ପ୍ରତିଯୋଗିତାରେ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ଜମଧରର ଛାତ୍ର ଦେବୀପ୍ରସାଦ ନାୟକ ଦ୍ୱତୀୟ ସ୍ଥାନ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆନନ୍ଦୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ମୁନିସିପାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ କିଛି ବରିଷ୍ଠ ବିଜ୍ଞାନ ଶିକ୍ଷକମାନେ ସହଯୋଗ କରିଥିଲେ lଜିଲ୍ଲାରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ମନୋନୀତ ହେଲେ l
