ବାଲିଘାଇ ଛକ ନିକଟରେ ମୋ ବସ୍ କାର୍ ମୁହାଁମୁହିଁ ଧକ୍କା : ୧୫ ଜଣ ଗୁରୁତର ଆହତ
ପୁରୀ ବାଲିଘାଇ ଛକ ନିକଟରେ ମୋ ବସ୍ କାର୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସାଧିନ ଅବସ୍ଥାରେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ କାର ଚାଳକ ହେଉଛନ୍ତି ସାତଶଙ୍ଖ ଗୁଡିଆ ପୋଖରୀ ଅଞ୍ଚଳର ସତ୍ୟ ଦାସ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ଓ ବାଲିଘାଇ ଫାଣ୍ଡି ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସେହିପରି ମୋ ବସଟି ଗଛରେ ପିଟି ହୋଇଯାଇଥିବାରୁ ବସ ଡ଼୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ କଟର ମେସିନ୍ ସାହାଯ୍ୟରେ ବସକୁ କାଟି ଡ଼୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ୬ ଟା ୧୫ ମିନିଟ୍ ସମୟରେ ପୁରୀରୁ କୋଣାର୍କ ଆଡ଼କୁ ମୋ ବସ ଯାଉଥିଲା। ବିପରୀତ ଦିଗରୁ ଏକ କାର୍ ଖୁବ ଜୋରରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ମୋ ବସ ଦେହରେ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଡାକ୍ତର କାର ଚାଳକଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ମୋ ବସରେ ଥିବା ପାଖାପାଖି ୧୦ ଜଣ ଯାତ୍ରୀ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

