ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ମୃତ
ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ଗ୍ରାମବାସୀଙ୍କ ବିକ୍ଷୋଭ।
ଗୋପ- ଭୁବନେଶ୍ୱର ଧଉଳି ଥାନା ଅଧୀନ ଲିଙ୍ଗିପୁର ଛକ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପୁରୀ ଜିଲ୍ଲା ଗୋପ ଥାନା ସୋରଭା ଗ୍ରାମ ପଞ୍ଚାୟତ ଅଧୀନ ତିରୁଣା ଖଞ୍ଜାଳିଆ ଗ୍ରାମର ସୁବ୍ରତ କୁମାର ଭୋଇ (୨୩) | ସେହିପରି ବିଦ୍ୟୁତ ଆଘାତରେ ଅନ୍ୟ ଆହତ ଶ୍ରମିକ ଦ୍ବୟ ହେଲେ ବିଶ୍ବଜିତ ସ୍ବାଇଁ ଓ ପ୍ରମୋଦ କୁମାର ବେହେରା । ଅଭିଯୋଗ ପାଇ ଧଉଳି ଥାନା ପୁଲିସ ଶନିବାର ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ପୂର୍ବକ ଶବ ବ୍ୟବଚ୍ଛେଦ କରିଛି। ସୂଚନା ଅନୁସାରେ, ଲିଙ୍ଗିପୁର ଟ୍ରାଫିକ ପୋଷ୍ଟ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାମ ଚାଲିଛି। ଶନିବାର ପୂର୍ବାହ୍ଣ ୧୦ଟା ସମୟରେ ସୁବ୍ରତ, ବିଶ୍ବଜିତ ଓ ପ୍ରମୋଦ କାମ କରିବାକୁ ଏକ ଲୁହା ସିଡ଼ି ନେଇ ଉକ୍ତ ବିଲ୍ଡିଂକୁ ଯିବା ବେଳେ ଘର ଭିତରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଜଣ ଯାକ ଗୁରୁତର ଆହତ ହୋଇଥିଲେ I ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଡାକ୍ତର ସେଠାରେ ସୁବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ମୂତ ଯୁବକଙ୍କ ଗ୍ରାମର ଶତାଧିକ ଲୋକ ପହଞ୍ଚି ଘଟଣାସ୍ଥଳରେ ହୋହଲ୍ଲା କରିଥିଲେ। ମୃତ ଯୁବକ ସୁବ୍ରତଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦାବି କରି ତୀବ୍ର ପ୍ରତିବାଦ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଧଉଳି ପୁଲିସ ମୁତୟନ ହୋଇଛନ୍ତି। ଏହି ଦୁର୍ଘଟଣା ପରେ କଲ୍ୟାଣ ମଣ୍ଡପ ମାଲିକ ଓ ସୁପର୍ଭାଇଜର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଶବ ବ୍ୟବଚ୍ଛେଦ ପରେ ରବିବାର ମର ଶରୀର ସହ ଯୁବକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ନିର୍ମାଣ କାର୍ଯ୍ୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରିବାରକୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ପରିସ୍ଥିତି ଉତ୍ତେଜନା ଥିବାରୁ ଧଉଳି ପୋଲିସ୍ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ଲୋକ, ରାଜନୈତିକ ପ୍ରତିନିଧି ଓ ପୋଲିସ ପକ୍ଷରୁ ବିଚାରବିମର୍ଶ ପରେ ଲୋକେ ଆନ୍ଦୋଳନ ବନ୍ଦ୍ କରିଥିଲେ। ମୃତ ଯୁବକଙ୍କ ଶବକୁ ଗୋପ ଥାନା ଅନ୍ତର୍ଗତ ଖଞ୍ଜାଳିଆ ଗ୍ରାମକୁ ନିଆଯାଇ ଶବ ସତ୍କାର କରାଯାଇଛି। ଏହି ଦୁର୍ଘଟଣାଟି ସୋରଭା ପଞ୍ଚାୟତରେ ଦୁଃଖଦ ଆଣିଥିବା ବେଳେ ଏକମାତ୍ର ରୋଜଗାରିଆ ପୁରୁଷକୁ ହରାଇ ପରିବାର ଭାଙ୍ଗି ପଡ଼ିଛି। ମୃତ ଯୁବକ ସୁବ୍ରତ ହେଉଛନ୍ତି ମୋହନ ଓ ଗୁନ ଭୋଇଙ୍କ ପୁତ୍ର। ଗତ ଦୁଇ ବର୍ଷ ତଳେ ସେ ବର୍ଷା ରାଣୀ ଭୋଇଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ୯ମାସର ଛୋଟ ଝିଅ ଟିଏ ଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଥିବା ବେଳେ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।
