ଖୋଲିବ ଶ୍ରୀମନ୍ଦିର ଆଉ ମିଳିବ ଜଗାର ଦର୍ଶନ ।
୧୧/୮- ଆସନ୍ତାକାଲିଠାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ସେଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି। ତେବେ ଆସନ୍ତାକାଲି ଓ ତାପରଦିନ କେବଳ ସେବାୟତଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ସେପଟେ ଵିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ରଖାଯିବା ନିଷ୍ପତିକୁ ସେଵାୟତ ମାନେ ବିରୋଧ କରିଥିବା ବେଳେ ଶ୍ରୀମନ୍ଦିର ଖୋଲିବା ନିଷ୍ପତିକୁ ପୁରୀବାସୀ ସ୍ୱାଗତ କରିଛନ୍ତି।
ଦୀର୍ଘମାସ ପରେ ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିର। ଆଉ ମିଶିବ ଜଗାର ଆଖି ସହ ଭକ୍ତଙ୍କ ଲୁହଭରା ଆଖି। ଭକ୍ତଙ୍କ ସହ ଭଗବାନଙ୍କ ହେବ ମହାମିଳନ। ତେବେ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି। ଆସନ୍ତାକାଲି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଦୁଇଦିନ ସେବାୟତଙ୍କ ପରିବାରଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଅର୍ଥାତ ୫ ଦିନ ପୁରୀସହରବାସୀ ବିନା କେବଳ ନିଜର ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ନୂତନ ଏସଓପି ଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ତୁଳସୀ,ଭୋଗ,ଦୀପ ଜାଳିବା,ପାର୍ଶ୍ୱଦେବାଦେଵୀଙ୍କୁ ସ୍ପର୍ଶ କରିବା ଓ ଆନନ୍ଦବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଜାରି କରାଯାଇଛି । ସେହିପରି ଶ୍ରୀମନ୍ଦିରରେ ପାନଛେପ ପକାଇବା, ପଲିଥିନ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।ଅନ୍ୟପଟେ ବିଶେଷ ପର୍ବପର୍ବାଣୀ ଦିନ ମାନଙ୍କରେ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବା ନିଷ୍ପତିକୁ ସେବାୟତ ବିରୋଧ କରିଛନ୍ତି ।
ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଦୀର୍ଘମାସ ପରେ ଶ୍ରୀମନ୍ଦିରରେ ଭକ୍ତ କରିବେ ଜଗାର ଦର୍ଶନ। ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ବେଶ୍ ବ୍ୟାକୁଳ ଥିବା କହିଛନ୍ତି। ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିଵେ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ WARD WARI ସମୟସାରଣୀ ଚୂଡାନ୍ତ କରାଯାଇଛି। ତିନୋଟି ପର୍ଯ୍ୟାୟରେ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ୭ ଟାରୁ ୧୦.୩୦ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨.୩୦ ଓ ଅପରାହ୍ନ ୩.୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଦର୍ଶନ ପାଇଁ ପୁରୀସହରବାସୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ୱା ଦୁଇଟି ଟୀକା ନେଇଥିବା ପ୍ରମାଣପତ୍ର ଦେଖାଇବାର ଆବଶ୍ୟକତା ନାହିଁ । ପୁରୀ ସହରବାସୀ ଓ ଭଡାଟିଆ କେବଳ ଯେକୌଣସି ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବେ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେପଟେ ଆସନ୍ତା ୨୩ ତାରିଖରୁ ରାଜ୍ୟ ଓ ରାଜ୍ୟ ବାହାରୁ ସମସ୍ତ ଭକ୍ତମାନେ କୋଭିଡ୍ ଗାଇଡଲାଇନ୍ ଅନୁପାଳନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅନ୍ୟପଟେ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାରୁ ଗତ ୯ ତାରିଖରୁ ସେବାୟତ ମାନଙ୍କ ପାଇଁ ଚାଲିଥିବା ଆରଟିପିସିଆର୍ ଟେଷ୍ଟ ଆଜି ଶେଷ ହୋଇଛି। ସେପଟେ ସରକାର ରାଜ୍ୟ ବାହାର ପର୍ଯ୍ୟଟକ ମାନଙ୍କ ପାଇଁ ଓଡିଶା ଆସିବାକୁ ହେଲେ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟ ପ୍ରଦର୍ଶନ ଓ ଟିକାର ଦୁଇଟି ଡୋଜ୍ ପ୍ରମାଣପତ୍ର ନ ଦେଖିଇବା ନିଷ୍ପତିକୁ ବିରୋଧ କରିଛନ୍ତି ପୁରୀ ବିଧାୟକ। ଏପରି ହେଲେ ପୁରୀରେ ସଂକ୍ରମଣ ହାର ବଢିବ ବୋଲି ବିଧାୟକ କହିଥିବା ବେଳେ ନିଷ୍ପତ୍ତିର ପୁର୍ନବିଚାର ପାଇଁ ସେ ଦାବି କରିଛନ୍ତି।
ପୁରୀରୁ ରଣଜିତ ମିଶ୍ରଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।
