ଫକୀର ମୋହନ ବିଦ୍ୟାମନ୍ଦିର ପିତୃମାତୃ ପୂଜନ ସହ ମା ବାଗଦେବୀ ସରସ୍ଵତୀଙ୍କ ପୂଜା ପାଳିତ

ଫକୀର ମୋହନ ବିଦ୍ୟାମନ୍ଦିର ପିତୃମାତୃ ପୂଜନ ସହ ମା ବାଗଦେବୀ ସରସ୍ଵତୀଙ୍କ ପୂଜା ପାଳିତ ଅଫିସ,୧୫/୨- ଖଣ୍ଡିଆବନ୍ଧ ସ୍ଥିତ ଦେବୀଘାଟ ନିକଟବର୍ତୀ ଫକୀର ମୋହନ ବିଦ୍ୟାମନ୍ଦିର ପରିସରରେ ବାଗଦେବୀ ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା ସହ ମାତୃପିତୃ ପୂଜନ ମହା ସମାରୋହରେ ପାଳିତ ହୋଇଯାଇଛି । ବାଗଦେବୀ ମା ସରସ୍ଵତୀଙ୍କୁ ବିଭିନ୍ନ ଫୁଲମାଳ ସହ ରଙ୍ଗୀନ କାଗଜ ଓ ଚକମକ ସୋଲରେ ସୁସଜ୍ଜିତ କରିଥିଲେ । ରଙ୍ଗୀନ ଆଲୋକମାଳାରେ ଝଲମଲ ହେଉଥିଲା ମାଙ୍କ ପୂଜାର୍ଚ୍ଚନା ପୀଠ ପରିସର । ଶାସ୍ତ୍ର ନୀତିରୀତିରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଧୂପ ଦୀପ ସହ ମନ୍ତ୍ର ଉଚ୍ଚାରଣରେ ବିଦ୍ୟାମନ୍ଦିର ପ୍ରକମ୍ପିତ ହୋଇଥିଲା । ଘଣ୍ଟ ଘଣ୍ଟା ସହ ଶଙ୍ଖ ଧ୍ବନୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିଦ୍ୟାମନ୍ଦିର ପରିଚାଳନା ନିର୍ଦ୍ଦେଶକ ତଥା ତାରା ଟ୍ରଷ୍ଟର ଅଧ୍ୟକ୍ଷ ଅଭୟ କୁମାର ରାଉତ ଓ ସଂପାଦିକା ରେବତୀ ରାଉତ ପୂଜାର୍ଚ୍ଚନାରେ କର୍ତ୍ତାକର୍ତ୍ତୀଭାବେ ବସି କାର୍ଯ୍ୟ ସମ୍ପାଦନ କରିଥିଲେ । କୁନି କୁନି ପିଲାମାନେ ନୂତନ ବସ୍ତ୍ର ପରିଧାନ ସହ ଶୁଦ୍ଧପୂତ ଭାବେ ଭୋଗରେ କଦଳୀ,ସେଉ,ଅଙ୍ଗୁର, କାକୁଡି, ନଡିଆ, କମଳା,ଖଇ,କୋରା ଆଦି ଆଣି ମା ସରସ୍ଵତୀଙ୍କ ସମ୍ମୁଖରେ ରଖିଥିଲେ । ଶେଷରେ ମାଙ୍କ ସମ୍ମୁଖରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ମାତୃପିତୃ ପୂଜନ କରି ପିଲାମାନେ ଭାବବିହ୍ବଳ ହୋଇପଡିଥିଲେ । ମାଙ୍କ ପାଖରେ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଭଲ ପାଠପଢି ଦେଶର ନାମ ରଖିବା ପାଇଁ ବିଦ୍ୟାମନ୍ଦିରର ପରିଚାଳନା ନିର୍ଦ୍ଦେଶକ ଅଭୟ କୁମାର ରାଉତ ପରାମର୍ଶ ଦେଇଥିଲେ । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ଯା ତପସ୍ୱିନୀ ସେନାପତି, ଜ୍ଞାନ ମନ୍ଦିରର ଅଧ୍ୟକ୍ଷ ବନଲତା ମିଶ୍ର ଉପସ୍ଥିତ ରହି ପିଲାମାନଙ୍କ ପାଠରେ ନିଷ୍ଠା ଓ ସ୍ନେହ ଶ୍ରଦ୍ଧା ସହ ଓ ଭଲ ମଣିଷ ପାଇଁ କହିଥିଲେ । ବିଦ୍ୟାମନ୍ଦିରର ଗୁରୁମା ମମତା, ମାମି ପ୍ରଧାନ, ଜ୍ଯୋସ୍ନା ରଣସିଂହ, ଶୁଭଲକ୍ଷ୍ମୀ ନାୟକ, ଅମ୍ବିକା ବେହେରା ଅନିଲିତା ଶଗଡିଆ, ସୁଜାତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପିଲାମାନଙ୍କ ସମେତ ଅଭିଭାବକ ଅଭିଭାବିକା ଓ ମାନ୍ଯଗଣ୍ଯ ବ୍ଯକ୍ତିମାନେ ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *