ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ
ବାଲେଶ୍ୱର, ୨୦ ଅଗଷ୍ଟ:ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ଜିଲ୍ଲା ରସାଳପୁର ସ୍ଥିତ ଡକ୍ଟର ଯଦୁନାଥ କଲେଜ୍ ପରିସରରେ ଦିନିକିଆ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀଙ୍କୁ ନିଶାର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଛି । ଜାତୀୟ ସେବା ଯୋଜନା (ଏନଏସଏସ) ଏବଂ କଲେଜର ନିଶା ନିବାରଣ କେନ୍ଦ୍ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବାଲେଶ୍ୱର ଅବକାରୀ ଡିଏସପି ଶ୍ରୀମତୀ ସ୍ୱପ୍ନାରାଣୀ ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସୁସ୍ଥ ଜୀବନ, ସୁସ୍ଥ ପରିବାର, ସୁସ୍ଥ ସମାଜ ଏବଂ ସୁସ୍ଥ ଭବିଷ୍ୟତ ପାଇଁ ନିଶାଠାରୁ ଦୂରେଇ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।କଲେଜର ଅଧ୍ୟକ୍ଷ ତୃପ୍ତିଲତା ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଭାତ କୁମାର ପରିଡ଼ା କହିଥିଲେ, ବିକଶିତ ଭାରତ ନିର୍ମାଣ ଲାଗି ନିଶାମୁକ୍ତ ସମାଜ ଗଠନ ଜରୁରୀ । କଲେଜର ପ୍ରଶାସନିକ ଅଧିକାରୀ ସଙ୍ଗୀତା ନନ୍ଦ ନିଶାମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । କଲେଜ ନିଶା ନିବାରଣ କେନ୍ଦ୍ରର ସଂଯୋଜକ ରବିନ୍ଦ୍ରନାଥ ପ୍ରଧାନ ନିଶାର ଶାରୀରିକ ଓ ମାନସିକ କୁପରିଣାମ ବିଷୟରେ ମତ ରଖିଥିଲେ ।ବାଲେଶ୍ୱର କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ରସାନନ୍ଦ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ସାମିଲ ହୋଇ ନିଶାମୁକ୍ତ ସମାଜର ବାର୍ତ୍ତା ବାଣ୍ଟିଥିଲେ । ଏହି ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।
