ଭାରତ ସରକାରଙ୍କ ସଡ଼କ ବିକାଶ ମହାନିର୍ଦ୍ଦେଶକ ଦାୟିତ୍ୱରେ ଓଡ଼ିଆ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀ

ଭୁବନେଶ୍ୱର, ୧୮ ଫେବୃଆରୀ :ଶ୍ରୀ ଧର୍ମାନନ୍ଦ ଷଡ଼ଙ୍ଗୀ ଭାରତ ସରକାରଙ୍କ ସଡ଼କ ବିକାଶ ମହାନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ବିଭାଗର ଏକ ଉଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ସିଭିଲ୍‌ ଇଞ୍ଜିନିୟରିଂରେ ବିଏସ୍‌ସି ଏବଂ ଷ୍ଟ୍ରକ୍ଚରାଲ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ଧର୍ମାନନ୍ଦ ଷଡ଼ଙ୍ଗୀ ୧୯୯୦ ମସିହାରେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟରେ ସହାୟକ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ୨୦୧୩ରେ ସେ ମୁଖ୍ୟ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ । ଏହାବ୍ୟତୀତ ସେ ମନ୍ତ୍ରଣାଳୟ ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିସାରିଛନ୍ତି । ୨୦୨୦ରେ ସେ ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ । ରାଜପଥ ନିର୍ମାଣ ଯୋଜନା, ଡିଜାଇନ, ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ଏବଂ ଟ୍ରାଫିକ୍‌ ଭିଡ଼ ଏଡ଼ାଇବା ଭଳି କାର୍ଯ୍ୟରେ ତାଙ୍କର ଉଚ୍ଚକୋଟ୍ଟୀର ଦକ୍ଷତା ରହିଛି । ବିଶେଷ କରି ସରକାରୀ ଘରୋଇ ଭାଗିଦାରୀରେ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଭୂମିକା ରହିଛି । ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ ଓ ଗୋଆ ଭଳି ରାଜ୍ୟରେ ରାଜପଥ ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଶ୍ରୀ ଷଡ଼ଙ୍ଗୀ ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ (ଆଇଆର୍‌ସି)ର ଆଜୀବନ ସଦସ୍ୟ ତଥା ଅବୈତନିକ କୋଷାଧ୍ୟକ୍ଷ ଭାବେ ଏହି ସଂଗଠନର ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *