ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ
ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ ଖୋର୍ଦ୍ଧା / 21.2.2024:ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ୟୁନିଟ – ୩ ଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓଡ଼ିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ । ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାର୍ଥୀ, ଶିକ୍ଷକ, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ, ବ୍ଲକ, ଆଲୁମିନ୍, ଏସ୍ଏମ୍ସି, ବିଇଓ, ଜିଲ୍ଲାକୁ ପୁରସ୍କୃତ କରାଯାଇ ଅନ୍ୟମାନଙ୍କୁ ଅଭିପ୍ରେରିତ କରିବା ଏହାର ଲକ୍ଷ୍ୟ। ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ନିମନ୍ତେ ସମଗ୍ର ଭାରତବର୍ଷରେ ଏହା ଅଦ୍ବିତୀୟ କାର୍ଯ୍ୟକ୍ରମ । ଏହି ପୁରସ୍କାର ଅନ୍ତର୍ଗତ ଅଭିନବ କାର୍ଯ୍ୟ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେବା ସହ ସଫଳତାର ସହିତ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରି ଆଗକୁ ବଢିବାରେ ସହାୟତା ଓ ଉତ୍ସାହ ଦେବା ଏହାର ଏକମାତ୍ର ଲକ୍ଷ୍ୟ । ବିଦ୍ୟାଳୟ ଏବଂ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଓ ଶିକ୍ଷାର୍ଥୀଙ୍କୁ ଭବିଷ୍ୟତ ମାର୍ଗଦର୍ଶନ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଚଳନ କରାଯାଇଛି । ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦିଗ୍ଦର୍ଶନ ଓ ଶିକ୍ଷାକୁ ଆଗକୁ ନେବା ପାଇଁ ତାଙ୍କର ସ୍ୱପ୍ନକୁ ସଫଳ ରୂପାୟନ କରିବା ପାଇଁ ଏହି ପୁରସ୍କାର ସହାୟକ ହେବ ଏଥିରେ ସନ୍ଦେହ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀ ମାସ ୩୧ ତାରିଖରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଅନେକ ଅନୁଷ୍ଠାନ ଓ ସଫଳ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ୧୭୯୮ ଟି ପୁରସ୍କାର ପ୍ରଦାନ କରାଗଲା । ଏହି ପୁରସ୍କାର ବିତରଣ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା l

ଉଦ୍ଘାଟନ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସମସ୍ତ ପୁରସ୍କାରଧାରୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ଗୁମାନସିଂହ, ବେଗୁନିଆ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଶ୍ରୀ ଜିତେନ୍ଦ୍ରନାଥ ମିତ୍ର, ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢ଼ାଲି ମାର୍ଗଦର୍ଶନ କରିବା ସହ ସ୍ୱାଗତ କରିଥିଲେ l ଅତିଥିମାନେ ପ୍ରତ୍ୟେକ ପୁରସ୍କାରଧାରୀଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରିଥିଲେ l ପୁରସ୍କାର ବାବଦରେ ନିର୍ଦ୍ଧାରିତ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପାଇଁ ଘୋଷଣା କରାଯାଇଥିଲା l ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ lଏହି ପୁରସ୍କାର ନିଶ୍ଚିତ ଭାବେ ସଫଳ ଶିକ୍ଷାର୍ଥୀ, ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ, ଏସ୍ଏମ୍ସି ପ୍ରଭୃତିକୁ ଅଧିକରୁ ଅଧୁକ ଆଗେଇବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇବ ।
