କିଶୋରୀ ଝିଅର ମୃତ୍ୟୁ ପରେ ଅଙ୍ଗଦାନ କଲେ ପିତା ମାତା
ପୁରୀ୨୪/୨ କିଶୋରୀ ଝିଅ ର ମୃତ୍ୟୁ ପରେ ଅଙ୍ଗ ଦାନ କରି ଅନନ୍ୟ ଉଦାହରଣ ସୃଷ୍ଟି କଲେ ବାପା ମାଆ। କେନ୍ଦୁଝର ମୂଳ ବାସିନ୍ଦା ଦୁଖବନ୍ଧୁ ମହନ୍ତ ଓ ପତ୍ନୀ ବିନିତା ଙ୍କ ସାନ ଝିଅ ଦମୟନ୍ତୀ ୧୪ ବର୍ଷ ବୟସରେ କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଏହି କିଡ଼ନି ରୋଗ କ୍ରମଶଃ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ମସ୍ତିସ୍କକୁ ମଧ୍ୟ ପ୍ରଭାବିତ ହୋଇଥିଲା ।ଏହା ମସ୍ତିଷ୍କକୁ ଏତେ ପ୍ରଭାବିତ କରିଥିଲା ଯେ, ଡାକ୍ତରଙ୍କ କଠିନ ପରିଶ୍ରମରେ ମଧ୍ୟ ତାଙ୍କ ମସ୍ତିସ୍କ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଶେଷରେ ଗତ ଫେବୃଆରୀ ୨୦ ତାରିଖରେ ଡାକ୍ତର ତାଙ୍କ ମସ୍ତିସ୍କ ମୃତ ଘୋଷଣା କରିଥିଲେ । ଦମୟନ୍ତୀଙ୍କ ଏପରି ଅବସ୍ଥା ବିଷୟରେ ଜାଣିବା ପରେ ଭୁବନେଶ୍ୱର ଏମ୍ସର ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ସୋମନାଥ ସ୍ୱାଇଁ ତାଙ୍କର ପରିବାର ଲୋକଙ୍କ ପାଖରେ ପହଞ୍ଚି ଅଙ୍ଗଦାନ ଭଳି ମହତ୍ କାର୍ଯ୍ୟ ବିଷୟରେ ବୁଝାଇଥିଲେ ।

ଦମୟନ୍ତୀଙ୍କ ମୃତ୍ୟୁପରେ, ଭୁବନେଶ୍ୱରର ଏମସ୍ ରେ ଡାକ୍ତରଙ୍କ ଏକ ଦଳ ଦମୟନ୍ତୀଙ୍କ ଅଙ୍ଗ ସୂକ୍ଷ୍ମ ପ୍ରଣାଳୀରେ ବାହାର କରାଯାଇ ଭିନ୍ନ ଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଗ୍ରୀନ୍ କରିଡରର ବ୍ୟବସ୍ଥା କରାଯାଇଥିଲା।”ଦାମୟନ୍ତୀ ଆଉ ଆମ ସହିତ ନାହିଁ, କିନ୍ତୁ ସେ ଅନ୍ୟମାନଙ୍କୁ ଦେଇଥିବା ଜୀବନର ଉପହାର ମାଧ୍ୟମରେ ତାଙ୍କ ଆତ୍ମା ବଞ୍ଚିଛି । ତେଣୁ “ଅଙ୍ଗ ଦାନ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି ଅଶ୍ରୁଳ ଆଖିରେ ଦାମୟନ୍ତୀଙ୍କ ମାତା ପିତା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ଅନ୍ତିମ ସଂସ୍କାର କରାଯିବ ବୋଲି କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।ଯେହେତୁ ଦମୟନ୍ତୀଙ୍କ ମାତା ପିତାଙ୍କ ଇଚ୍ଛାଥିଲା ତାଙ୍କର ଝିଅର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ କରିବାପାଇଁ ତାଙ୍କର ଏହି ଇଚ୍ଛାକୁ ସମ୍ମାନ ଜଣାଇ ଦମୟନ୍ତୀଙ୍କ ଶେଷକୃତ୍ୟ ଆଜି ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ପୁରୀ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଛି ।ଦମୟନ୍ତୀ ଙ୍କ ବଡ଼ବାପା ଧନେଶ୍ୱର ମହାନ୍ତ ମୁଖାଗ୍ନି ଦେଇ ଥିଲେ।ଦମୟନ୍ତୀ ଙ୍କ ପିତା ମାତା ଙ୍କ ସହ ଅନ୍ୟାନ୍ୟ ଜ୍ଞାତି ପରିଜନ ମଧ୍ୟ ଉପସ୍ଥିତ ଥିଲେ। ସତ୍କାର ସମୟରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ, ଓଡିଶା ମୋ ପରିବାର- ଜୀବନବିନ୍ଦୁ ଯୁଗ୍ମ ସଂଯୋଜକ ଷ୍ଟାଲିନ୍ ପରିଜା,ସମାଜସେବୀ ବଦ୍ରୀ ମିଶ୍ର, ସ୍ୱର୍ଗ ଦ୍ଵାର ସେବା ସମିତି ସମ୍ପାଦକ ସିଦ୍ଧାର୍ଥ ରାୟ,ବରିଷ୍ଠ ପରାମର୍ଶଦାତା ବ୍ରଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ ସହ ଦମୟନ୍ତୀଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।
