ଦୁଇ କିନ୍ନର ଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ, 4 ଜଣ ଆହତ ଜଣେ ଗୁରୁତର

ଦୁଇ କିନ୍ନର ଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷର 4 ଜଣ ଆହତ ଜଣେ ଗୁରୁତର । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ସହରରେ । ସମସ୍ତ ଆହତଙ୍କ ଚିକିତ୍ସା ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଥିବାବେଳେ ଏ ନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କଳାହାଣ୍ଡି ଜୟପାଟଣା ଅଂଚଳର ଗୁରୁତର ଆହତ ଦେବଲିନା । ଆହତ ଦେବଲିନା ରାଇଘର ଥାନାରେ ଦେଇଥିବା ଲିଖିତ ଅଭିଯୋଗ ପ୍ରକାରେ କଳାହାଣ୍ଡି ଜୟପାଟଣା ଅଂଚଳର ଦେବଲିନା ଓ ଅନ୍ୟ ଜଣେ କିନ୍ନର ସାଥୀଙ୍କୁ ଧରି ରାଇଘର ସହର ର ବିଭିନ୍ନ ଦୋକାନ ବୁଲି ବୁଲି ଅର୍ଥ ସଂଗ୍ରହ କରୁଥିଲେ । ସେହି ସମୟରେ ନବରଙ୍ଗପୁର ଅଂଚଳର 7-8 ଜଣ କିନ୍ନର ତାଙ୍କ ଉପରକୁ ପଥରରେ ଆକ୍ରମଣ କରିଥିଲେ । ଏହି ସମୟରେ ସହର ମଧ୍ୟରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଥିଲା । ପରେ ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେବା ପରେ ରାଇଘର ପୋଲିସ ସମସ୍ତ ଆହତଙ୍କୁ ରାଇଘର ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଇଥିଲେ । ସେପଟେ ଜୟପାଟଣା ଅଂଚଳର ଦେବଲିନା ନିଜ ଉପରେ ହୋଇଥିବା ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଅଭିଯୋଗର ତଦନ୍ତ କରାଯାଉଥିବା ନେଇ ରାଇଘର ଥାନା ଆଇଆଇସି ରଘୁନାଥ ମାଝୀ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *