ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଚିତ୍ରଶିଳ୍ପୀ ଦୀନନାଥ ପାଠୀଙ୍କ ଜୟନ୍ତୀ ପାଳିତ
– ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଦିବଙ୍ଗତ ଚିତ୍ରଶିଳ୍ପୀ ତଥା କଳା ଐତିହାସିକ ଡ. ଦୀନନାଥ ପାଠୀଙ୍କ ଜୟନ୍ତୀ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି । ଜୟନ୍ତୀ ଅବସରରେ ଏକାଡେମୀ ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ,ଉପ ନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ, ଉପ ନିର୍ଦେଶକ ଦେବାନନ୍ଦ ବରିହା,ଓଡ଼ିଶା ଭାଷା ପ୍ରତିଷ୍ଠାନର ଉପ ନିର୍ଦେଶକ ଫଣିନ୍ଦ୍ର ଭୂଷଣ ନନ୍ଦ,ଏକାଡେମୀ ସଚିବ ପଞ୍ଚାନନ ସାମଲ ଏବଂ ଅନ୍ୟ ଅଧିକାରୀ ମାନେ ଶିଳ୍ପୀଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ପୂର୍ବକ ସ୍ମୃତି ଚାରଣ କରିଥିଲେ । ଡ. ଦୀନନାଥ ପାଠୀ ଓଡ଼ିଶାର କଳା ଆନ୍ଦୋଳନର ଜଣେ ସୁଦକ୍ଷ ବିନ୍ଧାଣି ଥିଲେ । ସେ ଥିଲେ ବିଭୂତି କାନୁନଗୋ ଚାରୁ କଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ । ତାଙ୍କର କଳା ଶିକ୍ଷା ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟରେ ହୋଇଥିଲା । ତାଙ୍କର ଅନେକ ଛାତ୍ର ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠା କରିବା ସହିତ ଓଡ଼ିଶାର ସମ୍ମାନ ବଜାୟ ରଖିଛନ୍ତି ।ସେ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ସେ ଏକାଡେମୀର ସଭାପତି ପଦରେ ରହି ଓଡ଼ିଶାର କଳା କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଜଳରଙ୍ଗ ଚିତ୍ର ଏବଂ ଆଧୁନିକ ଚିତ୍ର ଶୈଳୀରେ ଚିତ୍ର ଅଙ୍କନ କରି ସେ ଦେଶ ଓ ବିଦେଶରେ ଓଡ଼ିଶାର ସୁନାମ ଆଣିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
