ଚାଷୀ ତଥା ସାମାଜିକ କର୍ମୀ ଭାବଗ୍ରାହୀ ମହାନ୍ତିଙ୍କ ଦେହାନ୍ତ
ଚାଷୀ ତଥା ସାମାଜିକ କର୍ମୀ ଭାବଗ୍ରାହୀ ମହାନ୍ତିଙ୍କ ଦେହାନ୍ତ ବ୍ରହ୍ମପୁର/ବୁଗୁଡ଼ା :-୨୧/୦୫ ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ସାମାଜିକ କର୍ମୀ ତଥା ଯୁବ ଚାଷୀ ଭାବଗ୍ରାହୀ ମହାନ୍ତି(୫୫)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଯେ , ଭାବଗ୍ରାହୀ ତାଙ୍କର ଫାର୍ମ ହାଉସରେ ରହିଥିବା ବେଳେ ଆଜି ଭୋର ୪ଟା ବେଳେ ସେ ତୃତୀୟ ଥର ପାଇଁ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ଏବଂ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରୁ ମୃତ ଶରୀରକୁ ତାଙ୍କର ଅରବିନ୍ଦ ନଗରସ୍ଥିତ ବାସଭବନକୁ ଅଣାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ସାହି ବାସିନ୍ଦା ତାଙ୍କର ଅନ୍ତିମ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେଇଥିଲେ । ସ୍ଥାନୀୟ ବଡଶଙ୍ଖସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ସେ ଚାଷ କାର୍ଯ୍ୟ କରିବା ସାଙ୍ଗକୁ ସମାଜସେବା କାର୍ଯ୍ଯରେ ନିୟୋଜିତ ରହିଥିଲେ ଏବଂ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କର୍ମକର୍ତ୍ତା ରହିଥିଲେ ।
