ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ଓଡ଼ିଆ ଜାତିର କୁଳଗ୍ରନ୍ଥ ହେଉଛି ଭାଗବତ: ସଂଜୟ
ପାଞ୍ଚ ଶତାବ୍ଦୀ ଧରି ଆମକୁ ଆଧ୍ୟାତ୍ମିକ ସୂତ୍ରରେ ବାନ୍ଧିରଖିଛି ମହାକବି ଜଗନ୍ନାଥ ଦାସଙ୍କ ମହାନ କୃତୀ ଓଡ଼ିଆ ଭାଗବତ। ଭାଗବତ ହେଉଛି ଏ ଜାତିର କୁଳଗ୍ରନ୍ଥ। ଭାଗବତ ଓଡ଼ିଶାକୁ ଓ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଛି ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା। ଆଜି ସକାଳେ ଭୁବନେଶ୍ବର ସଂସ୍କୃତି ଭବନ ପରିସରରେ ମହାକବି ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ଜ୍ଞାପନ କରିଛନ୍ତି ଶ୍ରୀ ଦାସବର୍ମା।
ଓଡ଼ିଆ ଭାଗବତର ମହାନ୍ ସ୍ରଷ୍ଟା ଅତିବଡୀ ଜଗନ୍ନାଥ ଦାସଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ଆଜି କବିଙ୍କ ଜନ୍ମସ୍ଥାନ ପୁରୀର କପିଳେଶ୍ଵରପୁର ଶାସନ ଓ ରାଜ୍ୟସ୍ତରରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପଠାରେ ମହା ସମାରୋହରେ ପାଳିତ ହେଉଛି।
ଏହି ଉପଲକ୍ଷେ ସକାଳ ୮ଟାରେ ରାଜ୍ୟ ସଂସ୍କୃତି ଭବନ ପରିସରସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦାସବର୍ମାଙ୍କ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ, ଉପସଭାପତି ଡ. ସଂଗ୍ରାମ ଜେନା, ଏକାଡେମୀ ସଭ୍ୟ ଡ. ବିବେକାନନ୍ଦ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ସାହିତ୍ୟର ତିନି ବରପୁତ୍ର ଜଗନ୍ନାଥ ଦାସ, ସାରଳା ଦାସ ଓ ବଳରାମ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।ଏହି ଅବକାଶରେ ଅନ୍ୟମାନଙ୍କ ମଧ୍ୟରେ କବି ଡ. ପ୍ରସନ୍ନ କୁମାର ମହାନ୍ତି,ସାମ୍ବାଦିକ ଅରୁଣ କାନୁନଗୋ ଓ ଏକାଡେମୀର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ପୂର୍ବାହ୍ନରେ କପିଳେଶ୍ୱରପୁର ଶାସନରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ ସଭାପତି ଡ. ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ଡ. ସିଦ୍ଧେଶ୍ବର ମହାପାତ୍ର, ଶ୍ରୀ ବଦ୍ରି ମିଶ୍ର ଓ ଜ୍ଞାନାନନ୍ଦ ସାଗର କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଉଛନ୍ତି।
ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା।
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ କପିଳେଶ୍ୱରପୁର ଶାସନରେ ଜନ୍ମିତ ଜଗନ୍ନାଥ ଦାସଙ୍କ ପାଇଁ ସାରା ରାଜ୍ୟର ସମ୍ମାନ ବଢ଼ିଛି ଏବଂ ନିଜ ମାଟିରେ ଏଭଳି ଜଣେ ଯୋଗଜନ୍ମା ମହାପୁରୁଷଙ୍କୁ ପାଇ ମୁଁ ଗର୍ବିତ ବୋଲି କହିଛନ୍ତି ଶ୍ରୀ ଦାସବର୍ମା। ରାଜ୍ୟ ସରକାର କପିଳେଶ୍ୱରପୁରରେ ଜଗନ୍ନାଥ ଦାସଙ୍କ ସାଧନା ପୀଠର ଉନ୍ନତିକରଣ କରିଛନ୍ତି। ଏହାକୁ ଏକ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ସହ ଅଧିକ ସଂଖ୍ୟାରେ କବି, ଲେଖକ ଓ ଗବେଷକଙ୍କୁ ଆକର୍ଷିତ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଥିଲେ।
