ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ
***ଆସିକା ତା ୨୧/୬- ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୋଇଯାଇଛି। ଛାତ୍ର-ଛାତ୍ରୀମାନଙ୍କୁ ଯୋଗାସନର ଉପକାରିତା ଉପରେ ସଚ଼େତନ କରାଇବା ନିମନ୍ତେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଦମ୍ୟ ପ୍ରଚ଼େଷ୍ଠା ଏବଂ ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ପ୍ରାତଃ ୭ ଘଣ୍ଟା ସମୟରେ ଆମ ପରିଚ଼ିତି ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ରୂପେ ପାତଞ୍ଜଳି ଯୋଗାସନ ତଥା ପ୍ରାଣାୟାମ ଯୁବ ପ୍ରଶିକ୍ଷକ ଅଶୋକ କୁମାର ବିଷୋୟୀ ଏବଂ ସଂଜୀବ ପାତ୍ର ବିଭିନ୍ନ ପ୍ରକାର ଯୋଗାସନ ମୁଦ୍ରାର ନିତ୍ସକ ନମୁନା ଦ୍ବାରା ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ। ମଧୁମେୟ, କର୍କଟ, ହୃଦଘାତ, ଭଳି ବିଷମ ଶଙ୍କୁଳ ରୋଗ-ବ୍ୟାଧି ଦାଉରୁ ବର୍ତ୍ତିିବା ପାଇଁ ଯୋଗାସନ ନିତାନ୍ତ ଆବଶ୍ୟକ ବୋଲି ପ୍ରଶିକ୍ଷକ ବିଷୋୟୀ ସୂଚ଼ନା ପ୍ରଦାନ କରିଥିଲେ। ବଜ୍ରାସନ, ଅନୁଲୋମ୍, ବିଲୋମ୍ ପ୍ରାଣାୟାମ, କପାଳଭାତୀ ପ୍ରାଣାୟାମ, ପବନମୁକ୍ତାସନ, ସିଂହାସନ, ବୀରାସନ, ମଣ୍ଡୁକାସନ, ଶବାସନ ଇତ୍ୟାଦି ଆସନ ତଥା ଓମ୍ ଉଚ୍ଚାରଣର ମହତ୍ବକୁ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଆଜିର ଯୋଗ ଦିବସକୁ କିପରି ମିଳିତ ଜାତିସଂଘରେ ଭାରତର ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଦ୍ବାରା ବିଶ୍ବ ସ୍ତରରେ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ମାନ୍ୟତା ପାଇଛି ତା’ର ସମ୍ୟକ ସୂଚ଼ନା ଅଧ୍ୟକ୍ଷ ଡ. ତ୍ରିପାଠୀ ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯୋଗସାଧନା ଏକ ଦୈନିକ ପ୍ରକ୍ରିୟା ଅଟେ, ଏହାର ନିତ୍ୟ ପ୍ରତିଦିନର ଅଭ୍ୟାସରେ ମନୁଷ୍ୟ ସମାଜରେ ସୁସ୍ଥ ଶରୀର, ଉନ୍ନତ ମାନସିକତା ଏବଂ ନିରାମୟ ଜୀବନ ଅତିବାହିତ କରିପାରିବ। ଯୋଗ ସାଧନାକୁ ଛାତ୍ରଛାତ୍ରୀମାନେ କିପରି ନିଜର ଦୈନିକ ଜୀବନରେ ଅତିବାହିତ କରିପାରିବେ ସେଥିପାଇଁ ଅଧ୍ୟକ୍ଷ ସମସ୍ତଙ୍କୁ ସଂକଳ୍ପ କରାଇଥିଲେ। ଏହି ପ୍ରଶିକ୍ଷଣ ମଞ୍ଚରେ ମହାବିଦ୍ୟାଳୟ ଏନସିସି ଶାଖାର ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ୱାଇଆରସି କାଉଁସେଲର ଦ୍ବୟ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର ମୁନୀ, ଏନଏସଏସର ପ୍ରୋଗ୍ରାମ ଅଫିସର ପବିତ୍ର ଧଙ୍ଗଡାମାଝୀ, ରେଶମା ପାତ୍ର, ବାଣିଜ୍ୟ ବିଭାଗ ମୁଖ୍ୟା ଅଧ୍ୟାପିକା ବନଶ୍ରୀ ମହାନ୍ତି, ସେଲ୍ଫ ଡିଫେନ୍ସର ଆବାହକ ସୁଶ୍ରୀ ମିନତୀ ବେହେରା, ସ୍କାଉଟ୍ ଅଫିସର ଅଧ୍ୟାପକ ସରୋଜ କୁମାର ପଣ୍ଡା ଗୌତମ ମାଝୀ, ଓମ୍ ପ୍ରକାଶ ସରାଫ୍, ପିଙ୍କୁ ବିଷୋୟୀ, ଶତ୍ରୁଘ୍ନ ଗୌଡ, ସନ୍ତୋଷ ଲେଙ୍କା, ଶଂକର ନାରାୟଣ ଗୌଡ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ସହଯୋଗ କରିଥିଲେ। ୱାଇଆରସି, ଏନଏସଏସ୍, ଏନସିସିର ସ୍ବେଚ୍ଛାସେବୀ ଏବଂ ଶତାଧିକ ଛାତ୍ରଛାତ୍ରୀଙ୍କ ସମାଗମରେ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇପାରିଥିଲା। ପରିଶେଷରେ ବରିଷ୍ଠ ପିଇଟି ସନ୍ତୋଷ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
