ପାବନ ଶ୍ରୀକ୍ଷେତ୍ର ଶ୍ରୀଜୀଉଙ୍କ ବାହୁଡା ଯାତ୍ରାବାହୁଡିଲେ ମହାବାହୁ
ହିଞ୍ଜିଳିକାଟୁ :-୧୫/୦୭ ( ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ତିନି ଠାକୁରଙ୍କ ବାହୁଡ଼ା ରଥଯାତ୍ରା ମହାସମାରୋହରେ ବହୁ ଭକ୍ତଙ୍କ ସମାବେଶରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ରୀତି ଅନୁକ୍ରମେ ବାହୁଡ଼ା ରଥଯାତ୍ରା କାଳୀନ ନୀତି ମଙ୍ଗଳଆଳତି, ଖେଚୁଡ଼ିଭୋଗ, ମଙ୍ଗଳାଚରଣ, ସେନାପଟଲାଗି, ଟାହ୍ୟାଲାଗି ଆଦି ପରେ ଶ୍ରୀଜୀଉ ମାନଙ୍କ ପହଣ୍ଡି ମଧ୍ୟାନ୍ନ ପ୍ରାୟ ୧୨ ଟାରେ ଆରମ୍ଭ ହୋଇଥିଲା । ଛତ୍ରୀଚାମର ଆଲଟ ସେବା ସହ ଘଣ୍ଟୁଆ ମାନଙ୍କ ଘଣ୍ଟ ଧ୍ୱନି ହରିବୋଲ , ହୁଳହୁଳି ଓ ବିଭିନ୍ନ ବାଦ୍ୟ ବାଜଣା ପଟୁଆରରେ ଦିଅଁ ମାନଙ୍କୁ ରଥାରୂଢ କରାଯାଇଥିଲା । ରଥ ଉପରେ ଦିଅଁ ମାନଙ୍କୁ ସୁବେଶ କରାଯିବା ପରେ କର୍ପୁର ଆଳତି ହୋଇଥିଲା ଏବଂ ଭକ୍ତମାନେ ଭୋଗ ଅର୍ପଣ କରିଥିଲେ । ଅପରାହ୍ନ ପ୍ରାୟ ୪ଟାରେ ସେବାଧିପତି ସେବକ ଜଗନ୍ନାଥ ସାହୁ ରଥରେ ଛେରା ପହଁରା କରିଥିଲେ । ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସ୍ୱୀକୃତି ମିଳିବା ପରେ ରଥରେ ସାରଥି ଓ ଚାରି ଅଶ୍ୱ ସ୍ଥାପନ କରାଯାଇ ରଥ ଟଣା ଦଉଡ଼ି ଯୋଛା ଯାଇଥିଲା

। ଅପରାହ୍ନ ପ୍ରାୟ ୫ ଟାରେ ରଥଟଣା ଆରମ୍ଭ ହୋଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଥାନା ଆଇଆଇସି ଶ୍ରୀନିବାସ ସେଠି ପ୍ରମୁଖ ଯୋଗଦେଇ ରଥଟଣା କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ମନ୍ଦିର ସେବାଧିପତିଙ୍କ ନଅର ସମ୍ମୁଖରେ ରଥ ଅଟକିଥିଲା । ସେବାଧିପତିଙ୍କ ପରିବାର ତରଫରୁ ଠାକୁରଙ୍କ ଉଆସନୀତି, ପୂଜାର୍ଚ୍ଚନା ଓ ମାଉସୀ ମାଙ୍କ ପୋଡ଼ପିଠା ଭୋଗ ସମର୍ପଣ କରାଯାଇଥିଲା । ଏଠାରେ ଶ୍ରୀ ମନ୍ଦିରରୁ ମା ମହାଲକ୍ଷ୍ମୀ ନିଜ ପଞ୍ଚଚକ୍ର ଯାନ ଆରୋହଣ ପୂର୍ବକ ବାଦ୍ୟ ବାଜଣା ପଟୁଆରରେ ରଥ ନିକଟକୁ ଆସି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଜ୍ଞାମାଳ ପ୍ରାପ୍ତ ହୋଇଥିଲା । ବନ୍ଦାପନା ନୀତି ପରେ ମହାଲକ୍ଷ୍ମୀ ଶ୍ରୀ ମନ୍ଦିରକୁ ଫେରିଥିଲେ । ପରେ ମହାପ୍ରଭୁଙ୍କ ବାହୁଡ଼ାରଥ ସନ୍ଧ୍ୟା ପ୍ରାୟ ୭ ଟାରେ ସିଂହ ଦ୍ୱାର ସମ୍ମୁୂଖରେ ପହଞ୍ଚିବା ପରେ ସନ୍ଧ୍ୟା ଆଳତି ଓ ଭୋଗରାଗ ସମାପ୍ତ ହୋଇଥିଲା । ବାହୁଡ଼ାଯାତ୍ରାରେ ମୁଖ୍ୟ ପୂଜକ ତଥା ପରିଚାଳକ କୃଷ୍ଣଚନ୍ଦ୍ର ପଣ୍ଡା, ସହାୟକ ସରୋଜ ରଥ, , ଶିଶିର ପଣ୍ଡା, ଉମାଶଙ୍କର ପଣ୍ଡା, ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, ଶିବରମ ପଟ୍ଟନାୟକ, ହରିହର ପଣ୍ଡା, ଜଗନ୍ନାଥ ସାହୁ, ସୁଦର୍ଶନ ପାଣିଗ୍ରାହୀ, ପ୍ୟାରୀ ମୋହନ ପାଢି, ନିଳାଞ୍ଚଳ ପାଳ, ନୃସିଂହ ପ୍ରସାଦ ପଟ୍ଟନାୟକ, ମନୋଜ ପାଢି, କୌଳାସ ସାବତ, ମନମୋହନ ଦାଶ, ଟୁଟୁ ମୁନି, କୋରାମଣି ରାଉଳ, ଜଗନ୍ନାଥ ଚୌଧୁରୀ, ଯୁଗଳ ପଣ୍ଡାଙ୍କ ସମେତ ରଥଯାତ୍ରା ଓ ଗୁଣ୍ଡିଚା ମନ୍ଦିର କମିଟିର ସମସ୍ତ କର୍ମକର୍ତା , ବହୁ ସ୍ୱେଛାସେବୀ ଓ ଭକ୍ତ ମାନେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ ରହି ବ୍ୟାପକସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ବଡ଼ ରଙ୍ଗଣି ସାହି, ପାଟଣା ସାହି ସମେତ ବ୍ଳକର ବୁରୁପଡ଼ା, ସାରୁ, ମକରଝୋଳ, ପିତଳ,ଦୁର୍ବନ୍ଧ, ପୋଡିଙ୍ଗି, ଶାସନଆମ୍ବଗାଁ ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ମହାଆଡ଼ମ୍ବର ସହକାରେ ବାହୁଡ଼ାଯାତ୍ରା ପାଳନ ହୋଇଯାଇଅଛି । ରଥାରୂଢ ଦିଅଁ ମାନେ ମଙ୍ଗଳବାର ଦିନ ସଂକ୍ରାନ୍ତି ଯୋଗୁଁ କୌଣସି ନିତିକାନ୍ତି ଅନୁଷ୍ଠିତ ହେବ ନାହିଁ । ଶ୍ରୀଜୀଉ ମାନେ କେବଳ ରଥାରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ବୁଧବାର ରଥାରୂଢ ଦିଅଁମାନେ ବଡ଼ ଏକାଦଶୀ ଉପଲକ୍ଷେ ରଥରେ ସୁନାବେଶ ହୋଇ ଦର୍ଶନ ଦେବେ । ଶ୍ରୀ ମଦନ ମୋହନ ଆଳତି ପରେ ସନ୍ଧ୍ୟାରେ ୩ ଥର ରଥ ପରିକ୍ରମା କରିବେ ଓ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନ କରାଯିବ । ସେହିଭଳି ଗୁରୁବାର ଦିନ ଠାକୁରଙ୍କ ଅଧରପଣା ନୀତି ଏବଂ ଶୁକ୍ରବାର ଦିନ ନିଳାଦ୍ରୀ ବିଜେ ଉତ୍ସବ, ବଚନିକା ଓ ରସଗୋଲା ଭୋଗ ସମର୍ପଣ ଆଦି ନୀତି ଦ୍ୱାରା ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
