ନିମାପଡା ହାଟ ଷଣ୍ଢ ଗାଈ ଗୋରୁ ଜବରଦଖଲ
ନିମାପଡା ହାଟ ଏବେ ବୁଲା ଗାଈ ଗୋରୁ ଷଣ୍ଢ ଜବରଦଖଲକାରୀଙ୍କ କବଜାରେ। ଷଣ୍ଢଙ୍କ ଦୌରତ୍ମରେ ଗ୍ରାହକ ହନ୍ତସନ୍ତ। ଷଣ୍ଢ ଆକ୍ରମଣରେ ବହୁ ଗ୍ରାହକ ଆହତ ହୋଇ ହାତ ଗୋଡ଼ ଭାଙ୍ଗିବାର ମଧ୍ୟ ବହୁ ନଜିର ରହିଛି। ଟିକେ ଅସାବଧନ ହେଲେ ଷଣ୍ଢ ଆକ୍ରମଣର ଶିକାର ହେବାକୁ ପଡୁଛି ଗ୍ରାହକଙ୍କୁ।ବ୍ୟବସାୟୀଙ୍କ ପନି ପରିବା ଷଣ୍ଢ ଖାଇ ଯାଉଥିବା ବେଳେ ଗ୍ରାହକଙ୍କୁ କରୁଛନ୍ତି ଆକ୍ରମଣ। ଏପରି ଅବସ୍ଥାରେ ଚାଲିଛି ନିମାପଡା ହାଟ। ଏନସିକୁ ବାରମ୍ବାର ଏ ନେଇ ବଜାର କମିଟି ଅଭିଯୋଗ କଲା ପରେ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ 4 ହଜାର ଟଙ୍କା ଆଦାୟ କରି ଗୋଟିଏ ଷଣ୍ଢକୁ ନେଇ ବାହାରେ ଛାଡିଥିଲେ। ତେବେ ଗୋଟେ ଷଣ୍ଢକୁ ଛାଡିବାକୁ 4 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଉ 4 ଷଣ୍ଢ ଆସି ହାଟରେ ହାଜର।ଏପଟେ ଏନସି ପରିମଳ ଅଧିକାରୀ ବିଜୟ ଗ୍ରହାଚାର୍ଜ କହୁଛନ୍ତି ଆମେ 4 କର୍ମଚାରୀ ଜଗାଇଛୁ ଷଣ୍ଢ ଘୋଉଡ଼ାଇବା ପାଇଁ। ଏପଟେ ଷଣ୍ଢ ହାଟରେ ପଶି ଦୌରାତ୍ମ କରିବାରେ ବ୍ୟସ୍ତ। ଏଠି ପ୍ରଶ୍ନ ଉଠୁଛି ଏନସି କର୍ମଚାରୀ ଯଦି ଜଗିଛନ୍ତି ତେବେ ଷଣ୍ଢ ହାଟରେ ପଶି ଆତଙ୍କ ଖେଳାଉଛି କେମିତି। ତେବେ ଷଣ୍ଢଙ୍କ ଦୌରାତ୍ମରେ ବ୍ୟବସାୟୀ ଗ୍ରାହକ ହନ୍ତସନ୍ତ ହେଉଥିବା ବେଳେ ହାଟ ଜାଗାକୁ ଜବରଦଖଲକାରୀ ଜବରଦଖଲ କରି ଯାଗାକୁ ମାଡି ବସିଥିବାରୁ ହାଟ ଏବେ ସଂକୀର୍ଣ୍ଣ ହୋଇ ଯାଇଛି । ବଜାର କମିଟିର କହିବା ଅନୁଯାଇ ହାଟ ନାମରେ 84 ଡ଼ିସିମିଲ ଯାଗା ଅଛି। ମାତ୍ର ଅଧିକାଂଶ ଯାଗା ଏବେ ଜବରଦଖଲକାରୀଙ୍କ କବଜାରେ। ଯେଉଁଥି ପାଇଁ ଆଜି ହାଟ ଏକ ସଂକୀର୍ଣ୍ଣ ଜାଗାରେ ବସୁଛି । ଏଥିପାଇଁ ବ୍ୟବସାୟୀ ଏବଂ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସୂଚନା ମୁତାବକ ପୂର୍ବରୁ ନିୟନ୍ତ୍ରିତ ବଜାର କମିଟି ଅଧିନରେ ହାଟ ଥିବା ବେଳେ 1993 ମସିହାରୁ ନିମାପଡା ଏନସି ବୁଝାସୁଝା କରୁଛି। ତେବେ ବଜାର କମିଟି ଅଭିଯୋଗ କରିଛନ୍ତି ହାଟରେ ବ୍ୟବସାୟୀଙ୍କ ପାଇଁ କୌଣସି ମୌଳିକ ସୁବିଧା ନାହିଁ। ନିୟନ୍ତ୍ରିତ ବଜାର କମିଟି ଏବଂ ଏନସିର ତୁତୁ ମେଁ ମେଁ ଭିତରେ ବଳି ପଡିଛି ନିମାପଡା ହାଟ। ବ୍ୟବସାୟୀଙ୍କୁ ହାଟରେ ସମସ୍ତ ମୌଳିକ ସୁବିଧା ଦେବା ସହ ଜବରଦଖଲ ହଟାଇବା ପାଇଁ ବଜାର କମିଟିର ସଭାପତି ବଂଶୀଧର ସାହୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୋଦ ଜେଠୀ ଧରଣୀଧର ସାହୁ ବଳରାମ ବେହେରା ଅଭିମନ୍ୟୁ ମଲ୍ଲିକ ଦାମୋଦର ସାହୁ ପ୍ରମୁଖ ଦାବୀ କରିଛନ୍ତି।
