ସମିତି ସଭ୍ୟଙ୍କୁ ବିଡ଼ିଓଙ୍କ ଗୋଇଠା ମାରିଥିବା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବିଡ଼ିଓ ଅବିନାଶ ପାଣ୍ଡିଆଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପଞ୍ଚାୟତ ସମିତିର ସମିତି ମେମ୍ବର। ବିଡ଼ିଓ ଅବିନାଶ ପାଣ୍ଡିଆ ବାଇସିଙ୍ଗା ପଞ୍ଚାୟତର ସମିତି ସଭ୍ୟ ହିତେନ୍ଦ୍ର ବିଶ୍ୱାଳଙ୍କୁ ଗୋଇଠା ମାରିବା ସହିତ ମହୁଲପାଳ ପଞ୍ଚାୟତର ସମିତିସଭ୍ୟ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ଦୁର୍ବ୍ୟବହାର କରିଥିବା ଫେରାଦ ହୋଇଛି। ତେବେ କାଦୁଆ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଏକତ୍ରିତ ହୋଇଥିଲେ। ସେମାନଙ୍କ ଏକ ଘର ନିର୍ମାଣକୁ ନେଇ ବିଡ଼ିଓଙ୍କୁ ଜଣେବାକୁ ଯାଇ ଏମିତି ଅଘଟଣ ଘଟିଥିବା ସମିତି ମେମ୍ବର ମାନେ ପ୍ରକାଶ କରିଛନ୍ତି। ତେବେ ଗୋଇଠା ମାରିବା କିମ୍ବା ଦୁର୍ବ୍ୟବହାର କରିଥିବା କଥାକୁ ବିଡ଼ିଓ ଅବିନାଶ ପାଣ୍ଡିଆ ଖଣ୍ଡନ କରିଛନ୍ତି। ଏ ନେଇ ସେ ଉଚ୍ଚ ପ୍ରଦସ୍ଥ ଅଧିକାରୀଙ୍କ ତଦନ୍ତ ପାଇଁ ଜଣେଇଥିବା କହିଛନ୍ତି। ସେପଟେ ସମିତି ମେମ୍ବରଙ୍କୁ ଗୋଇଠା ମାରିବା ଓ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ କରିଛନ୍ତି ସମସ୍ତ ସରପଞ୍ଚ ଏବଂ ସମିତି ମେମ୍ବର। ତେବେ ଏହି ଘଟଣାକୁ ନେଇ ଏବେ କାମାକ୍ଷାନଗରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *