ଶ୍ରୀକ୍ଷେତ୍ରରେ ପ୍ରଥମ ବୁଧବାର ବୁଧେଇ ଓଷା ପାଳିତ
ଶ୍ରୀକ୍ଷେତ୍ରରେ ପ୍ରଥମ ବୁଧବାର ବୁଧେଇ ଓଷା ପାଳିତ ୨୨/୮- ଭାଦ୍ରବ ମାସର ପ୍ରତି ବୁଧବାରରେ ବୁଧେଇ ଓଷା ପାଳନ କରାଯାଏ । ସଧବା ନାରୀ ମାନେ ସନ୍ତାନ କାମନା ସହ ଓ ସନ୍ତାନଙ୍କ ଶୁଭ ମନାସିବା ଉଦ୍ଦେଶରେ ଏହି ପୂଜା ପାଳିତ ହୋଇଥିଲା । ପ୍ରଥମ ବୁଧବାର ଶ୍ରୀକ୍ଷେତ୍ର ସମେତ ଆଖପାଖ ଅଞ୍ଚଳରରେ ଏହି ପୂଜା ପାଳିତ ହେଉଥିବା ଦେଖିବାକୁ ମିଳିଥିଲା । ସଧବା ନାରୀ ନିର୍ଜଳ ଭାବେ ନିଷ୍ଠା ଓ ପବିତ୍ରତା ସହ ଏହି ଓଷା ପାଳିଥାନ୍ତି । ବୁଧିବାବନଙ୍କୁ ପୂଜାର୍ଚ୍ଚନା କରାଯାଏ ।

ବୁଧେଇ ହେଉଛନ୍ତି ଭୈରବ ଓ ବିମଳା ମା । ବାବନ ହେଉଛନ୍ତି ଭୈରବ ବା ଜଗନ୍ନାଥ । ଓଷା ଦିନ ପୂଜାର୍ଚ୍ଚନାର ସ୍ଥଳିକୁ ଗୋବରରେ ଲିପା ଯାଇଥିଲା । ପୂଜା ପାଇଁ ପାଞ୍ଚ ରଙ୍ଗର ଫୁଲ ,ପାଞ୍ଚ ପ୍ରକାର ଫଳ, ପାଞ୍ଚଟି ଧୂପ , ପାଞ୍ଚଟି ଦୁବ ଓ ପାଞ୍ଚଟି ଚାଉଳ ବିଧି ଆନୁଯାଇ ରଖାଯାଇଥିଲା । ବେଲପତ୍ର, ଫୁଲମାଳ ଓ ଖଇମାଳ ଲାଗି ହୋଇଥିଲା । ପ୍ରଥମ ପାଳିରେ ନଡିଆ ବସାଯାଇ ଏହା ଶେଷ ପାଳିରେ ଭଙ୍ଗାଯିବ । ମଝି ପାଳିରେ ପିଠା ପଣା ଭୋଗ କରାଯିବ । ଶେଷ ପାଳିରେ ପାଞ୍ଚ ପ୍ରକାର ପିଠା କରାଯିବ । ଶିଳ ଓ ଶିଳପୁଆକୁ ଗଙ୍ଗା ଜଳରେ ସ୍ନାନ କରାଯାଇ ହଳଦି ଲଗାଇ ନାରୀ ବେଶରେ ସଜା ଯାଇଥିଲା । ମଥାରେ ସିନ୍ଦୁର ଓ ଆଖିରେ କଜଳ ଲଗାଯାଇଥିଲା । ସୁସଜ୍ଜିତ ଫୁଲରେ ମାଙ୍କୁ ସଜେଇ ଖଇ,କୋରା, କଦଳୀ, ସେଉ, ଅଙ୍ଗୁର ପିଜୁଳି, ଆଦି ଭୋଗ ଲାଗି କରି ପୂଜାର୍ଚ୍ଚନା କରାଯାଇଥିଲା । ବୁଧିବାବନଙ୍କ ଓଷା ବହି ପଢା ଯାଇଥିଲା । ଧୂପ ଦୀପ ଝୁଣା ଲଗାଯାଇ ବୁଧିବାବନଙ୍କ ଆଗରେ ମୁଣ୍ଡିଆ ମାରି ନିଜ ନିଜର ପରିବାରବର୍ଗଙ୍କ ଶୁଭମନାସୀ ଥାନ୍ତି । ନିଃସନ୍ତାନ ମହିଳା ମାନେ ଏହି ପୂଜାକୁ ନିଷ୍ଠାର ସହ କରିଥାନ୍ତି ।
