ପ୍ରତିଶୃତି ରଖିଲେ ପ୍ରଭାତୀ ମିଶନ ଶକ୍ତି

ମିଶନ ଶକ୍ତି ଆଗରୁ କେବଳ ଚାଲୁଥିଲା, ଏବେ ଦୌଡିବା ଆରମ୍ଭ କରିଛି। ଯେଉଁମାନେ ଗୁଜବ ସୃଷ୍ଟି କରୁଥିଲେ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ସେମାନଙ୍କୁ ଉଚିତ ଜବାବ ମିଳିସାରିଛି। ମିଶନ ଶକ୍ତି ମାଧ୍ୟମରେ ମା’ ମାନଙ୍କୁ ଅଧିକରୁ ଅଧିକ ସଶକ୍ତ କରାଯିବାକୁ ବିଜେପି ସରକାର ସଂକଳ୍ପବଦ୍ଧ ହୋଇଛନ୍ତି ବୋଲି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । କାନାରା ବ୍ୟାଙ୍କ, ନିମାପଡ଼ା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଶହିଦ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ସ୍ୱୟଂସହାୟକ ଗୋଷ୍ଠୀ ଋଣ ପ୍ରଦାନ ଓ ଆର୍ଥିକ ସ୍ଵାକ୍ଷରତା ଶିବିର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଭାତୀ କହିଥିଲେ ଆମ ସରକାର ମହିଳାମାନେ କିଭଳି ସ୍ୱାବଲମ୍ବୀ ହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି। ମହିଳାମାନଙ୍କ ନିଜ ଉତ୍ପାଦିତ ସାମଗ୍ରୀକୁ ମିଶନ ଶକ୍ତି ବାହାର ବଜାର ସହିତ ଲିଂକ୍ କରୁଛି। ମିଶନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ୟାଙ୍କମାନେ ଠିକ ସମୟରେ ଅର୍ଥରାଶି ଦେଉଛନ୍ତି। କାନାରା ବ୍ୟାଙ୍କର ସମସ୍ତ ଅଧିକାରୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାଖାପାଖି ୧୪୩କୋଟି ଟଙ୍କା ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି। ଏବେ ୧୫୦୦ ଗ୍ରୁପକୁ ୭୫କୋଟି ଟଙ୍କା ଦେଉଛନ୍ତି। ଏହାଦ୍ୱାରା ଆମ ଅଞ୍ଚଳର ମହିଳା ସ୍ୱାବଲମ୍ବୀ ହେବେ, ଲାଭାନ୍ୱିତ ହେବେ ତେଣୁ ଅର୍ଥନୈତିକ କ୍ଷେତ୍ରରେ ନିଶ୍ଚିତ ସେମାନଙ୍କର ବିକାଶ ହେବ ବୋଲି ମୁଁ ଆଶା କରୁଛି। ଅନ୍ୟମାନଙ୍କ ମଧ୍ୟରେ କାନାରା ବ୍ୟାଙ୍କ ଓଡିଶା ମୁଖ୍ୟ ଜେନେରାଲ ମ୍ୟାନେଜର ଜଗଦୀଶ ଚନ୍ଦ୍ର, ନିର୍ଦ୍ଦେଶକ ଦିବାକର ପ୍ରତାପ ହରିଚନ୍ଦନ, ଏଜୀଏମ ମହାମାୟା ପ୍ରସାଦ ରାୟ, ଶାଖା ପରିଚାଳକ ମିଲନ ପୃଷ୍ଟିଙ୍କ ସହିତ ଶୁଭ୍ରାଂଶୁ ସାମନ୍ତରାୟ, ମମତା ଯୋଶୀ, ସୁମିତ୍ରା ପଟ୍ଟନାୟକ ପ୍ରମୁଖ କାନାରା ବ୍ୟାଙ୍କର ଉଚ୍ଚପଦସ୍ତ ଅଫିସର ମାନେ ସାମିଲ ଥିଲେ। ନିମାପଡ଼ା ସମେତ ଅସ୍ତରଙ୍ଗ, କୋଣାର୍କ ଆଦି ଅଞ୍ଚଳର ପ୍ରାୟ ୧୫୦ ଗ୍ରୁପକୁ ୧୫ କୋଟି ଟଙ୍କା ଆଜି ଦିଆଯିବ ବୋଲି ଶାଖା ପରିଚାଳକ ମିଲନ ପୃଷ୍ଟି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *