କାର ସହ ବାଇକ ଧକ୍କା ଜଣେ ମୃତ ଅନ୍ୟଜଣେ ଗୁରୁତ୍ୱର
ନୟାଗଡ ରାଜ୍ଯ ରାଜପଥର ନୂଆଗାଁ ଛକ ନିକଟରେ ଏକ କାରକୁ ଧକ୍କା ଦେଇ ବାଇକ୍ ଚାଳକ ମୃତ୍ଯୁ ବରଣ କରିଥିବା ବେଳେ ଅନ୍ଯ ଆରୋହୀ ଜଣକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ମୃତକ ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଶମ୍ଭୁନାଥ ଗୌଡ (୨୦) ଓ ଗୁରୁତର ଜଣକ ସେହି ଗାଁର ସରୋଜ ସେଠୀ (୧୮)ବୋଲି ଜଣାଯାଇଛି । ପ୍ରକାଶ ଯେ , ଆଜି ସକାଳେ ଶମ୍ଭୁ ଓ ସରୋଜ ଏକ ପଲସର୍ ବାଇକରେ ଅତି ଦ୍ରୁତ ଗତିରେ ଗାଁରୁ ବୁଗୁଡାକୁ ଆସୁଥିଲେ ଏବଂ ଅନ୍ୟପଟେ ବୁଗୁଡ଼ା ରୁ ନୟାଗଡ ଅଭିମୁଖେ ଏକ କାର ଯାଉଥିଲା । କାର୍ ଚାଳକ ସାମନା ପଟୁ ଦ୍ରୁତ ଗତିରେ ଆସୁଥିବା ବାଇକକୁ ଦେଖି ବ୍ରେକ୍ ମାରି ରହିଯାଇଥିଲେ ସୁଦ୍ଧା ବାଇକଟି ପ୍ରବଳ ବେଗରେ ଆସି କାରଟିର ବାମ ପଟକୁ ଧକ୍କା ଦେଇ ଫୋପାଡି ହୋଇଯାଇଥିଲା । ଦୁର୍ଘଟଣାରେ ବାଇକ୍ ସହ ଶମ୍ଭୁ ଓ ସରୋଜ ବହୁ ଦୂରରେ ଫୋପାଡି ହୋଇ ପଡିଥିଲା ବେଳେ ଶମ୍ଭୁର ବାମ ହାତଟି କଟି ଯାଇ କାର ଭିତରେ ରହିଯାଇଥିଲା ।

ସ୍ଥାନୀୟ ଲୋକେ ସେ ଦୁହିଁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ଶମ୍ଭୁନାଥଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ଯପକ୍ଷରେ ପିପୁଲ୍ସ କଲେଜର +୩ କଳାର ଦ୍ବିତୀୟ ବର୍ଷ ଛାତ୍ର ସରୋଜର ବାମ ଗୋଡ ଭାଙ୍ଗି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଓ କାର(ନଂ-ଓଡି ୦୭ – ୬୬୦୦)କୁ ଜବତ କରିବା ସହ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ଏସ୍ଆଇ ଅର୍ଜୁନ କହଁର ନିୟୋଜିତ ଥିବା ଜଣାଯାଇଛି।
