ଶ୍ରୀକ୍ଷେତ୍ରରେ ଜନ୍ମାଷ୍ଟମୀ ପାଳିତ

ଶ୍ରୀକ୍ଷେତ୍ରରେ ଜନ୍ମାଷ୍ଟମୀ ପାଳିତ ପୁରୀ, ୨୭/୮- ଶ୍ରୀକ୍ଷେତ୍ରର ସାହି ଗଳି କନ୍ଦି ସମେତ ପୁରୀଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହ ଜନ୍ମାଷ୍ଟମୀ ଉତ୍ସବ ପାଳିତ । ଘରେ ଘରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ । ଠାକୁରଙ୍କ ଘରକୁ ଶୁଦ୍ଧପୂତ ଭାବେ ପାଣି ପକାଇ ବାଳଗୋପାଳ ଶ୍ରୀକୃଷ୍ଣଙ୍କୁ ଗଙ୍ଗା ଜଳ,ଖୀର ଓ ବିଭିନ୍ନ ସୁବାସିତ ଜଳରେ ସ୍ନାନ କରାଇଥିଲେ ପରେ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ମାଳି ସହ କାନରେ କୁଣ୍ଡଳ ପରିଧାନ କରିବା ସହ ରଙ୍ଗୀନ କପଡା ଓ ମୁଣ୍ଡରେ ମୁକୁଟ ପରିଧାନ କରିଥିଲେ । ସୁବାସିତ ଫୁଲରେ ସଜେଇବା ସହ ଫୁଲମାଳ ଓ ରଙ୍ଗୀନ ଆଲୋକ ମାଳାରେ ଠାକୁରଙ୍କ ଘର ଝଲମଲରେ ଝଲସୁଥିଲା । ଧୂପ ଦୀପ ଚନ୍ଦନ ଅର୍ପଣ କରିବା ପରେ ନୈବଦ୍ଯ ଯଥା ନଡିଆ କୋରା, ବଲ୍ଲଭ, ସାକର କଦଳୀ, ସେଉ, ଅଙ୍ଗୁର, ପିଜୁଳି, କଦଳୀ ଓ ଚୁଡାଘସା, ମିଠେଇ ,ଖଇ,ଉଖୁଡା ଆଦି ଭୋଗ କରିଥିଲେ । ଜନ୍ମାଷ୍ଟମୀ ବହି ପାଠ କରାଯାଇଥିଲା । ଖୀରି, ପୁରୀ କାକରା,

ମଣ୍ଡା, ଅମାଲୁ ଆଦି ଶଙ୍ଖୁଡି ଭୋଗ କରାଯାଇଥିଲା । ଘରେ ଘରେ ଶଙ୍ଖ ନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ହୁଳହୁଳି ସହ ଜନ୍ମାଷ୍ଟମୀ ନୀତିରେ ବିଭୋର ହୋଇଥିଲେ ଭକ୍ତ । ସାହି ଗଳିରେ ଥିବା ରାଧାକୃଷ୍ଣ ମନ୍ଦିର, ମଠ,ଭଗବତ ଘର ମାନଙ୍କରେ ଧୂମଧାମରେ ଘଣ୍ଟ,ଘଣ୍ଟି,କାହାଳୀ ସହ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା । ଶ୍ରଦ୍ଧା ଭକ୍ତି ଭାବବେଗ ସହ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତାନ୍ତ ଶୁଣିଥିଲେ ଶ୍ରଦ୍ଧାଳୁ ।

Leave a Reply

Your email address will not be published. Required fields are marked *