ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ ମହାପାତ୍ରଙ୍କ ପରଲୋକ
ଗଂଜାମ ଜିଲ୍ଲାର ପୁରପଲ୍ଲୀରେ ଏବଂ କଳା ଓ ସଙ୍ଗୀତ ଜଗତରେ ପ୍ରତାପ ଭାଇ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପ୍ରତାପ ମହାପାତ୍ରଙ୍କ ଗୁରୁବାର ପରଲୋକ ହୋଇଯାଇଛି । ବେଶ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଲକର ମାରୁଡ଼ି ଶାସନ ଗ୍ରାମରେ ଜନ୍ମିତ ପ୍ରତାପ ମହାପାତ୍ର ଦୀର୍ଘ ୪୦ ବର୍ଷ ଧରି ମଞ୍ଚ ନାଟକ ଓ ଅପେରାରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । କିଡନୀଖରାପ ଯୋଗୁଁ ତାଙ୍କର ଡାଇଲେସିସ ଚାଲିଥିଲା । ତଥାପି ସେ କେନ୍ଦ୍ରାପଡା ରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ହେଲେ ଅଳ୍ପ ସମୟ ପରେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବ୍ରହ୍ମପୁର ବିଜିପୁର ସ୍ଥିତ ଚଣ୍ଡୀ ମନ୍ଦିର ନିକଟରେ ପ୍ରତାପ ଭାଇ ନିଜ ପରିବାର ସହ ରହୁଥିଲେ ।ଦୁଇବର୍ଷ ପୂର୍ବେ ତାଙ୍କ ବଡ଼ପୁଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ପରିଚିତ ଓ ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ ମହାପାତ୍ରଙ୍କ ବିୟୋଗରେ ବ୍ରହ୍ମପୁର କଳାକାର ଏକତା ମଂଚର ସଭାପତି ଭବାନୀ ଶଙ୍କର ମିଶ୍ର,ଉପସଭାପତି ରାଜ ଗୋପାଳ ପାଢ଼ୀ, ସମ୍ପାଦକ ଡା.ମିହୀର କୁମାର ତ୍ରିପାଠୀ, ମେଜର ରମା ରମଣ ପାଢ଼ୀ,ନାଟ୍ୟପ୍ରଦୀପ ମଦନ ମିଶ୍ର,ନାଟ୍ୟକାର ରମେଶ ମହାରଣା,ଡା.ତିରୁପତି ସାହୁ ,ଲିଙ୍ଗରାଜ ନାହାକ,ସତ୍ୟ ମହାରଣା,ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,କୃଷ୍ଣଚନ୍ଦ୍ର ପଣ୍ଡା,ସୁବାସ ମହାରଣା,ଶଙ୍କର୍ଷଣ ସାବତ,କୈଳାଶ ପାଣିଗ୍ରାହୀ,ସଙ୍ଗୀତ ନିର୍ଦ୍ଦେଶକ କାହ୍ନୁ ମହାପାତ୍ର,ଅରୁଣ ସାହୁ ସମେତ ବ୍ରହ୍ମପୁର କଳାକାର ଏକତା ମଞ୍ଚ ସହ ଜଡିତ ସମସ୍ତ ନାଟ୍ୟ ଅନୁଷ୍ଠାନ ଓ ନାଟ୍ୟ ଜଗତ ସହିତ ଜଡିତ ବହୁ ବ୍ୟକ୍ତି ଶୋକ ପ୍ରକାଶ କରି ତାଙ୍କ ଆତ୍ମାର ଅମରତ୍ୱ ପାଇଁ ପ୍ରାର୍ଥନା କରିଛନ୍ତି ।
