ନେତପିଲା

ପୁରୀ– ଶ୍ରୀକ୍ଷେତ୍ର ପୁରୀରେ ଏବେ ଦେଖିବାକୁ ମିଳିଛି ବହୁ ପୁରାତନ କାଳରୁ ପ୍ରଚଳିତ ପରମ୍ପରା ନେତପିଲା । ଶ୍ରୀକ୍ଷେତ୍ରର ସେବାୟତ ପରିବାରରେ ଥିବା କୁନି କୁନି କୁମାରୀ କନ୍ୟାମାନେ ବିଶେଷ ବେଶଭୁଷାରେ ସଜ୍ଜିତ ହୋଇ ନେତପିଲା ପର୍ବ ପାଳନ କରିଥାନ୍ତି । ମୁଖ୍ୟତଃ ପରିବାରର କଲ୍ୟାଣ ତଥା ଭଲ ବର ବା ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ପର୍ବକୁ ପିଲାମାନେ ପାଳନ କରିଥିବା ଜଣାଯାଏ । ପୁରୀ ଶ୍ରୀମନ୍ଦିରର ସେବାୟତ ପରିବାରରେ ଶାରଦୀୟ ଦୁର୍ଗାପୂଜା ସମୟରେ ଦେଖିବାକୁ ମିଳିଥାଏ ନେତପିଲା ପରମ୍ପରା । ଶହଶହ ବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡିକରେ ପରମ୍ପରା ମୁତାବକ ଚାଲିଆସୁଛି । ଭଲ ସ୍ୱାମୀ ପାଇବା ଲକ୍ଷରେ ସେବାୟତ ପରିବାରର କୁନି କୁନି କୁମାରୀ ଝିଅ ମାନେ ଏହି ପର୍ବ ପାଳିଥାନ୍ତି । ପ୍ରାୟ ୨୧ଦିନ ପୂର୍ବରୁ ବଳୀପୁଜନ କରିବା ପରେ ତିନିଦିନ ଧରି ବିଭିର୍ନ ବେସଭୁଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀ ଠାରେ ନେତପିଲାମାନେ ମା ବୃନ୍ଦାବତୀଙ୍କ ପାଖରେ ପୂଜା କରିଵା ସହ ସେଠାରେ ବଳି ଗୀତ ଗାଇଥାନ୍ତି । ଏହି ନିଆରା ଓ ଭିର୍ଣ୍ଣ ଧରଣର ପରମ୍ପରା ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଥିବା ବେଳେ ପୂଜା ସମୟରେ ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ନେତ ପିଲାମାନେ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ପ୍ରକାରର ଫଳ, ନଡ଼ିଆ, ପରିବା, ଗୁଆ ଆଦି ଅର୍ପଣ କରି ପୂଜା କରିବାର ଵିଧି ଥିବାବେଳେ ବଳି ଗୀତ ଗାନ କରିଥାନ୍ତି । ପୂଜା ପରେ ନେତପିଲା ମାନେ ସେମାନଙ୍କର ସମ୍ପର୍କୀୟ ମାନଙ୍କ ଘରକୁ ବୁଲିଯିବାର ଵିଧି ରହିଛି । ମା ପାର୍ବତୀ ଶିବଙ୍କୁ ପାଇବା ଉଦ୍ୟେଶ୍ୟରେ ଏହି ପୂଜା କରିବାର କିମ୍ବଦନ୍ତୀ ରହିଥିବାରୁ ତାହାକୁ ଅନୁସରଣ କରି ଶିବଙ୍କ ଭଳି ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ନେତପିଲା ପର୍ବ ପାଳିତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପୁରୀରୁ ରଣଜିତ ମିଶ୍ରଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।

Leave a Reply

Your email address will not be published. Required fields are marked *