ଟିବି ବିସିଜି ଟୀକାକରଣ ଆରମ୍ଭ
ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନଜ୍ୟୋତି ଦାସ ଙ୍କ ଦ୍ଵାରା ଆରମ୍ଭ କରାଯାଇଅଛି । ଯକ୍ଷ୍ମାରୋଗର ପ୍ରାଦୁର୍ଭାବକୁ କମ କରିବା ଓ ଏଥି ଜନିତ ଅକାଳ ମୃତ୍ୟୁକୁ ରୋକିବା ପାଇଁ ଏହି ଟୀକା ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ବୋଲି ମତପୋଷଣ କରାଯାଇଥିଲା । ଏହି ଟୀକା ନେଇଥିବା ଅଙ୍ଗରେ ସାମାନ୍ୟ ଦରଜ, ଫୁଲା ଓ ନାଲି ପଡିବା ଭଳି କିଛି ଅତି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ବ୍ୟସ୍ତ ହେବାର ନାହିଁ ବୋଲି ଜନସାଧାରଣଙ୍କୁ ବୁଝାଇବାକୁ ପରାମର୍ଶ ଦିଆଯାଇଥିଲା । ପ୍ରକାଶ ଥାଉକି ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ପ୍ରାପ୍ତବୟସ୍କ, ପୂର୍ବରୁ ଯକ୍ଷ୍ମାରୋଗମୁକ୍ତ ହୋଇଥିବା ବ୍ୟକ୍ତି, ବର୍ତ୍ତମାନ ଯକ୍ଷ୍ମାରୋଗୀଙ୍କ ସାସ୍ପର୍ଶରେ ଆସିଥିବା ନିକଟ ସମ୍ପର୍କୀୟ ସମସ୍ତ ବ୍ୟକ୍ତି, ମଧୁମେହ ଆକ୍ରାନ୍ତ ବ୍ୟକ୍ତି, ଧୂମପାନ କରୁଥିବା ବ୍ୟକ୍ତି ତଥା କୁପୋଷଣ ଶିକାର ହୋଇଥିବା ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ଅଭିଯାନ ଚାଲୁଥିବା ସମୟରେ ଟୀକାକରଣ କେନ୍ଦ୍ରରେ ଏହି ଟୀକା ବିନାମୂଲ୍ୟରେ ନେବାରେ କୌଣସି ପ୍ରତିବନ୍ଧକ ନାହିଁ । ମାତ୍ର ଗର୍ଭବତୀ ବା ସ୍ତନ୍ୟପାନ କରାଉଥିବା ମହିଳା, ଏଚଆଇଭି ଆକ୍ରାନ୍ତ, ରୋଗ ପ୍ରତିରୋଧକ ଶକ୍ତି ନଥିବା ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସକାରକ ଔଷଦ ସେବନ କରୁଥିବା, ଅଙ୍ଗ ପ୍ରତିରୋପଣ ହୋଇଥିବା ଅଥବା ଦୂରାରୋଗ୍ୟ ବ୍ୟାଧିରେ ଦୀର୍ଘ ଦିନ ଧରି ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଏହି ଟୀକା ନେବାକୁ ବାରଣ କରାଯାଉଛି । ଏହି ଅବସରରେ ୩୫ଜଣ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଥିଲା । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧକାରୀ ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ଟିବି ସଂଯୋଜକ ରୁଦ୍ର ପ୍ରସାଦ ଜେନା, ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା,ମମତା କୁମାରୀ ମିଶ୍ର,ମମତା ସମନ୍ତରାଏ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ
