ବାତ୍ଯା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
ସମ୍ଭାବ୍ଯ ବାତ୍ଯା ଦାନା ଅକ୍ଟୋବର ୨୪ ତାରିଖରେ ସ୍ଥଳଭାଗ ଛୂଇଁବ । ଏହା ଓଡିଶାରେ ମାଡ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରୁଛି । ଏହାର ପ୍ରଭାବ ପୁରୀ ଜିଲ୍ଲା ସହ ଆଖପାଖ ଜିଲ୍ଲାରେ ଅନୁଭୂତ ହେବ । ଏହାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ । ବାତ୍ଯା ପ୍ରଭାବରେ ଯେପରି ଧନଜୀବନ ହାନି ନ ଘଟେ ସେଥିପାଇଁ ପ୍ରତ୍ଯେକ ବିଭାଗର ଅଧିକାରୀଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ଥି । ସମ୍ଭାବ୍ଯ ବାତ୍ଯାକୁ ଆଖି ଆଗରେ ରଖି ଜିଲ୍ଲାର ସମସ୍ତ ବାତ୍ଯା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ସେପଟେ ପେଣ୍ଠକଟାରେ ହଜାର ହଜାର ମତ୍ସ୍ଯଜୀବୀ ଚିନ୍ତାରେ ବସିଛନ୍ତି । ଶହ ଶହ ଡଙ୍ଗା କୂଳରେ ବନ୍ଧା ହୋଇ ରହିଛି । ପ୍ରଶାସନ ପକ୍ଷରୁ ସତର୍କ ସୂଚନା ସୂରୂପ ନାଲି ପତକା ଲଗାଯାଇଛି ।

ପେଣ୍ଠକଟା ବସ୍ତିରେ ଅଧିକ ଚାଳି ଘର ଥିବାରୁ ସେମାନେ ବାତ୍ଯା ଆଶ୍ରୟସ୍ଥଳକୁ ସ୍ଥାନନ୍ତର ହେବେ । ପ୍ରାୟ ୮ ହଜାର ମତ୍ସ୍ୟଜୀବୀ ଓ ସହାୟକ ଡଙ୍ଗାରେ ସମୁଦ୍ରକୁ ନଯାଇ ଘରେ ବସିଛନ୍ତି । ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ ସଜାଗ ରହିଛି । ଅଗ୍ନିଶମ ବିଭାଗର ଗାଡି ଓ କର୍ମଚାରୀ ପ୍ରସ୍ତୁତ ଅଛନ୍ତି । ୧୨ ଟି ଦମକଳ ଟିମ ବିଭିନ୍ନ କେନ୍ଦ୍ରରେ ରହିଛନ୍ତି । ଏଥର ସ୍ବତନ୍ତ୍ର ଭାବେ ପ୍ଲାଜମା କଟର ମହଜୁଦ ଅଛି । ଏହା ବଡ ବଡ ଗଛ କାଟିବା ସହ ରାସ୍ତାକୁ ସଫା କରିବ । ଶହ ଶହ ପାୱାର କଟର ଡାଳ ଗୁଡିକ କାଟି ରାସ୍ତା ସଫା କରିବ । ବିଦ୍ଯୁତ ବିଭାଗ ପକ୍ଷରୁ ପ୍ରୋଟେବୁଲ ଲାଇଟ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ମାନେ ବିଭିନ୍ନ ସ୍ପଟକୁ ଯାଇ ପ୍ରସ୍ତୁତି କାର୍ଯ୍ଯ ତଦାରଖ କରୁଛନ୍ତି । ପଲିଥିନ ଅତ୍ଯାବଶ୍ଯକ ଖାଦ୍ଯ ସାମଗ୍ରୀ, ଔଷଧ, ଗୋ ଖାଦ୍ଯ ଆଦି ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ସତର୍କ ରୁହନ୍ତୁ କିନ୍ତୁ ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବାତ୍ଯା ପାଇଁ ହୋଟେଲ ମାନଙ୍କରେ ପର୍ଯ୍ଯଟକ ମାନେ ନଥିବା ବେଳେ ଓ ଯେଉଁ ମାନେ ହୋଟେଲରେ ଅଛନ୍ତି ସେମାନଙ୍କ ପାଇଁ ହୋଟେଲ ତରଫରୁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ପୁରୀ ଜିଲ୍ଲାରେ ଆକାଶ ଅନ୍ଧାରିଆ ରହିବା ସହ ପବନର ଗତି ଧିରେ ଧିରେ ବଢୁଥିବା ଅନୁଭବ କରିହେଉଛି । ସମୁଦ୍ର ଉଚ୍ଚ ଢେଉ କୂଳରେ ମାଡ ହେବା ସହ ଘୁ ଘୁ ଗର୍ଜନ କରୁଛି । ବେଳାଭୂମିରେ ପର୍ଯ୍ଯଟକ ନଥିବାରୁ ଖାଁ ଖାଁ ଲାଗୁଛି । ତଥାପି ବାତ୍ଯାର ପ୍ରକୋପ ଅଧିକ ନଥିବା କୁହାଯାଉଥିବା ବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
