ଶିଶୁ ଓ ପ୍ରସୂତି ମହିଳାଙ୍କୁ ବୁହାଇ ନାଳ ପାରି କରାଇଲେ ଗ୍ରାମବାସୀ l

ଶିଶୁ ଓ ମହିଳା ବିକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବହୁଳ ଅର୍ଥ ବ୍ୟୟବରାଦ ହେଉଥିଲେ ମଧ୍ୟ ଅନେକ ଆଦିବାସୀ ଅଧ୍ୟୁଷିତ ବସ୍ତିବାସିନ୍ଦା ମାନଙ୍କରେ ଯୋଜନା ବାଟମାରଣା ସହିତ ସଠିକ୍ ସମୟରେ ପହଞ୍ଚୁ ନଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ଗମନାଗମନ ଅପହଞ୍ଚ ଯୋଗୁଁ ଅନେକ ସମୟରେ ପ୍ରସୂତି ମହିଳାଙ୍କୁ ଖଟିଆ କେଉଁଠି ତ ବୁହା ହୋଇ ଭରା ନାଳ ପାର କରି ଚିକିତ୍ସା ପାଇଁ ନେଉଥିବା ଦେଖିବାକୁ ମିଳିଛି। ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ଝରାପାଳ ବସ୍ତିବାସିନ୍ଦା ପାଖରେ ଆଜି ମଧ୍ୟ ଗମନାଗମନ ସୁବିଧା ଅପହଞ୍ଚ ହୋଇ ରହିଛି। ଚଳିତ ମାସ ୧୧ ତାରିଖ ଝରାପାଳ ବସ୍ତିର ରତ୍ନ ମୁଣ୍ଡାଙ୍କ ସ୍ତ୍ରୀ ପଦ୍ମୀନି ମୁଣ୍ଡା (୨୬) ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ପାଖରେ ଜନନୀ ଏକ୍ସପ୍ରେସ ଗାଡି ଘର ପାଖରେ ପହଞ୍ଚି ନପାରିବାରୁ ତାଙ୍କୁ ବସ୍ତିବାସିନ୍ଦା ପାଖାପାଖି ଦୁଇ କିଲୋମିଟରର ବୁହାଇ ଭରା ନାଳ ପାର ପରୁଥିବା ବେଳେ ତାଙ୍କର ଅଧା ବାଟରେ ପ୍ରସବ ହୋଇଥିବା ବେଳେ ଶିଶୁ ନବଜାତ କୁ ନାଭିରେ ନାଡ ଲାଗିଥିବା ଅବସ୍ଥାରେ ଅଣାଯାଇଥିଲା। ଉକ୍ତ ବସ୍ତି ଠାରୁ ମୁଖ୍ୟ ଗ୍ରାମ ଦୋମୁହାଁଣି ପର୍ଯ୍ୟନ୍ତ ଗମନାଗମନର ଥିବା ଏକ ମାତ୍ର ଡଗର ବାଡ ଯାହାକି ବର୍ଷା ଦିନରେ କାଦୁଅ ପଚପଚ ହୋଇ ରହିଛି। ଯାହାଫଳରେ ସେଠାକୁ ଜନନୀ ଏକ୍ସପ୍ରେସ ଗାଡି ପହଞ୍ଚି ପାରିନଥିଲା। ମହିଳା ଜଣକ ପ୍ରସବ ବେଦନାରେ ଛଟପଟ ହେଉଥିଲେ ହେଁ ପାଖରେ ଗାଡି ପହଞ୍ଚି ପାରିନଥିଲା ବେଳେ ବସ୍ତିବାସିନ୍ଦାଙ୍କ ସହଯୋଗ ରେ ଗମ୍ଭାରିଆ ନାଳ ପାର କରିଥିଲେ। ଗମନାଗମନ ସୁବିଧା ନଥିବାରୁ ଅନେକ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅତି ଆବଶ୍ୟକ ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନ ପାଖରେ ଏନେଇ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ପଞ୍ଚାୟତ ଠାରୁ ଜିଲା ପ୍ରଶାସନର ଆଜି ପର୍ଯ୍ୟନ୍ତ ନିଦ ଭାଙ୍ଗୁ ନଥିବା ଅଭିଯୋଗ ହୋଇଛି। ଆଦିବାସୀ ଅଧ୍ୟୁଷିତ ବସ୍ତିବାସିନ୍ଦା ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବହୁ ଯୋଜନା କରୁଥିବାବେଳେ ତାହା କେବଳ ନଥିପତ୍ର ମଧ୍ୟରେ ସୀମିତ ରହୁଛି। ମହିଳା ଓ ଶିଶୁମାନଙ୍କୁ ଉନ୍ନତ ମାନର ଚିକିତ୍ସା ସାଙ୍ଗକୁ ସେମାନଙ୍କୁ ନିରାପତ୍ତା ଯୋଗାଇ ଦେବାକୁ ନିର୍ଦେଶ ରହିଥିବା ବେଳେ ଗମନାଗମନ ସୁବିଧା ମୁଖ୍ୟ ସମସ୍ୟା ଦେଖାଦେଉଛି। ଏଥିପ୍ରତି ଜିଲ୍ଲାପାଳ ଦୃଢ଼ତା ସହିତ ଦୃଷ୍ଟି ଦେଇ ଯଥାଶୀଘ୍ର ଗମନାଗମନ ର ସୁବିଧା ଯୋଗାଇ ଦେବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *