ସପ୍ତମାତୃକା ବେଶର ଷଷ୍ଠ ଦିନ ରେ:ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ

କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଭଦ୍ରକ ଜିଲ୍ଲା । ଭଦ୍ରକ ସହରଠାରୁ ମାତ୍ର ନଅ କିଲୋମିଟର ଦୂରରେ ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ରହିଛି ମା’ ଭଦ୍ରକାଳୀ ପୀଠ । ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ। ମାଆ ସଦାସର୍ବଦା ବିଶ୍ବମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ପରମ ବୈଷ୍ଣବୀ ମାଆ ଭଦ୍ରକାଳୀ କାଳୀପୂଜା ଠାରୁ ସାତଦିନ ଧରି ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଆଜି ସପ୍ତମାତୃକା ବେଶର ଷଷ୍ଠ ଦିନ । ଷଷ୍ଠ ଦିନ ମହା ସରସ୍ଵତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ମାଆଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ମାଆ ହେଉଛନ୍ତି ବିଦ୍ୟାଧାତ୍ରୀ, ମାଆଙ୍କର ଏହି ମହା ସରସ୍ବତୀ ବେଶକୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ମିଳିଥାଏ ବୋଲି ବିଶ୍ୱାସ ରହିଛି । ମାଆଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ସହ ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ ଓ ନାମ ସଂକୀତ୍ତର୍ନ ମଧ୍ୟରେ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଭଦ୍ରକାଳୀ ପୀଠ । ଯେଉଁଠି ମାଆ ବିଶ୍ବମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବିଶ୍ବାସ ରହିଛି, କାହିଁ କେଉଁ କାଳରୁ ମେଘନାଦ ପର୍ବତରୁ ଆସି ଭଦ୍ରକର ଭୂୟାଁ ମହଲରେ ପୂଜା ପାଉଥିଲେ ଭଦ୍ରକାଳୀ । ହେଲେ କଳାପାହାଡ଼ ଆକ୍ରମଣ ବେଳେ ଭକ୍ତ ମାନେ ମାଙ୍କୁ ସେଠାରୁ ଆଣି ଭଦ୍ରକ ସହର ଠାରୁ ୭ କିଲୋମିଟର ଦୂର ଆହାରପଦା ଠାରେ ସ୍ଥାପିତ କରିଥିଲେ । ଯାହାକି ବର୍ତ୍ତମାନ ଭଦ୍ରକାଳୀ ପୀଠ ନାମରେ ପରିଚିତ।

Leave a Reply

Your email address will not be published. Required fields are marked *