ଜାତୀୟ ପ୍ରତିଷ୍ଠାନ ଆଇଜରକୁ ଆଲୋକିତ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର , ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର୍)କୁ ସ୍ଵତନ୍ତ୍ର ଭାବେ ୩୩ କେଭି ବିଦ୍ୟୁ୍ତ ଲାଇନ୍ ସଂଯୋଗ କରାଯାଇଛି। ଏହି ପଦକ୍ଷେପ ଦ୍ଵାରା ଭାରତର ଶିକ୍ଷା ଏବଂ ଗବେଷଣାକୁ ସୁଦୃଢ଼ କରିବା ଦିଗରେ କମ୍ପାନୀ ଭାଗୀଦାର ହୋଇପାରିଛି। ବଙ୍ଗୋପସାଗର କୂଳରେ ଗାରମପେଟା ବେଳାଭୂମିଠାରୁ ମାତ୍ର ୧ କିମି ଦୂରରେ ଓଡ଼ିଶାର ଏହି ଏକମାତ୍ର ଆଇଜର ରହିଛି। ଶିକ୍ଷା ମନ୍ତ୍ରାଳୟ ଅଧିନରେ ସାରା ଭାରତରେ ଥିବା ମୋଟ ୭ ଟି ଆଇଜର୍ ମଧ୍ୟରେ ବ୍ରହ୍ମପୁର ଆଇଜର୍ ଅନ୍ୟତମ। ଗଞ୍ଜାମ ଜିଲ୍ଲାର ଲଉଡ଼ିଗାଁଠାରେ ପ୍ରାୟ ୨୦୦ ଏକର ପରିମିତ ଅଞ୍ଚଳରେ ଏହାର ସ୍ଥାୟୀ କ୍ୟାମ୍ପସ ତିଆରି ହୋଇଛି। ଆଇଜର୍ ବ୍ରହ୍ମପୁରରେ ବିଭିନ୍ନ ରାଜ୍ୟର ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୨୫୦ରୁ ଅଧିକ ରିସର୍ଚ୍ଚ ସ୍କଲାର ଅଧ୍ୟୟନ କରୁଛନ୍ତି, ଯାହା ଫଳରେ ଏହି ଅନୁଷ୍ଠାନ ଶିକ୍ଷା ଏବଂ ସାଂସ୍କୃତିକ ବିନିମୟର ଏକ କେନ୍ଦ୍ରସ୍ଥଳୀ ପାଲଟିଛି। ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୩୩ କେଭି ବିଦ୍ୟୁତ ଲାଇନ୍ ୨୧ କିମି ବ୍ୟାପ୍ତ, ଯେଉଁଥିରେ ୧୬.୬ କିମି ଭୂତଳ ଲାଇନ୍ (ଅଣ୍ଡର ଗ୍ରାଉଣ୍ଡ) ଏବଂ ୪.୮୮ କିମି ଓଭରହେଡ୍ ଲାଇନ୍ ରହିଛି। ଏହି ଅତ୍ୟାଧୁନିକ ବିଦ୍ୟୁତ ଭିତ୍ତିଭୂମି ଆଇଜର ଭଳି ଶୈକ୍ଷିକ ଓ ଗବେଷଣା କେନ୍ଦ୍ରକୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରେ। ଆଇଜର୍ ବ୍ରହ୍ମପୁର ଭଳି ଉପକୂଳବର୍ତ୍ତୀ ଅନୁଷ୍ଠାନ ପାଇଁ ଭୂତଳ ବିଦ୍ୟୁତ ଲାଇନ୍ ବ୍ୟବସ୍ଥା ବିଶେଷ ଭାବରେ ଲାଭଦାୟକ। ଜଳବାୟୁ ପ୍ରତିରୋଧୀ ବୈଶିଷ୍ଟ୍ୟ, କମ୍ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସୁରକ୍ଷା ଯୋଗୁଁ ଭୂତଳ ଲାଇନ୍ ବେଶ୍ ଉପଯୋଗୀ। ଟିପିଏସ୍ଓଡିଏଲ୍ ସମଗ୍ର ପ୍ରକଳ୍ପରେ ନିରାପତ୍ତା ଏବଂ ପରିଚାଳନାଗତ ବିଶ୍ୱସନୀୟତା ଉପରେ ପ୍ରାଧାନ୍ୟ ଦେଇଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବୈଶ୍ୱିକ ସ୍ତରର ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି। ଏଥିରେ ବିଦ୍ୟୁତ ଲାଇନ୍ ପାଖରେ ଥିବା ଗଛ ଡାଳ କାଟିବା, ବିଦ୍ୟୁତ ଭିତ୍ତିଭୂମି ଚାରିପାଖରେ ବୁଦା ସଫା କରିବା, ସୁରକ୍ଷା ପାଚେରୀ ନିର୍ମାଣ, ଆଇସୋଲେଟର ବ୍ଲେଡର ଗ୍ରିଜିଂ ଏବଂ ଆର୍ଥିଙ୍ଗ କେବଲ୍ ଲିଡ ଇତ୍ୟାଦି ପଦକ୍ଷେପ ରହିଛି। ଆଇଜର୍ ବ୍ରହ୍ମପୁରର ଉନ୍ନତ ବିଦ୍ୟୁତ ଭିତ୍ତିଭୂମି ଅତ୍ୟାଧୁନିକ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ମାନର  ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ପଦକ୍ଷେପ ଆଞ୍ଚଳିକ ଏବଂ ଜାତୀୟ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଟିପିଏସ୍ଓଡିଏଲର ଗୁରୁତ୍ଵକୁ ପ୍ରତିଫଳିତ କରୁଛି।

Leave a Reply

Your email address will not be published. Required fields are marked *