ସମସ୍ତ ଯୋଜନା , ପଲିସି, କାର୍ଯ୍ୟକ୍ରମ ଓ ପଦକ୍ଷେପର ବିସ୍ତୃତ ସମୀକ୍ଷା କରାଯାଉ
ସବୁ କଥାରେ ପୂର୍ବ ବିଜେଡି ସରକାରକୁ ଦାୟୀ ନକରି ପୁର୍ବ ସରକାର ନେଇଥିବା ସମସ୍ତ ଯୋଜନା , ପଲିସି, କାର୍ଯ୍ୟକ୍ରମ ଓ ପଦକ୍ଷେପର ବିସ୍ତୃତ ସମୀକ୍ଷା କରାଯାଉ — ସଞ୍ଜୀବ କୁମାର ପଟ୍ଟନାୟକ।ବ୍ରହ୍ମପୁର — ରାଜ୍ୟରେ ଗତ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ହଟାଇ ନିକଟରେ ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ନିଜର କାର୍ଯ୍ୟକାଳ ଛଅ ମାସ ପୂର୍ଣ କରିଛି। ଏହି ଅବଧି ମଧ୍ୟରେ ବିଜେପି ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା କିଛି ପ୍ରତିଶ୍ରୁତି ପାଳନ କରିଥିବା ବେଳେ ଆଉ କିଛି ପ୍ରତିଶ୍ରୁତି ଏବେ ମଧ୍ୟ ପାଳିତ ଓ କାର୍ଯ୍ୟକାରୀ ହେବା ଅପେକ୍ଷାରେ। ପ୍ରତିଶ୍ରୁତି ପାଳନ ହେଇଥିବା ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସୁଭଦ୍ରା ଯୋଜନା, ଚାଷୀ ମାନଙ୍କ ନିମନ୍ତେ ଏମଏସପି ୩୧ ଶହ ଟଙ୍କା ଓ ଶ୍ରୀମନ୍ଦିର ସମ୍ପର୍କିତ ଯଥା ଚାରିଦ୍ୱାର ଖୋଲିବା ଠାରୁ ରତ୍ନ ଭଣ୍ଡାର ଖୋଲିବା ଆଦି ଉଲ୍ଲେଖନୀୟ ଓ ଚର୍ଚ୍ଚିତ ବିଷୟ ଅଟେ। କିନ୍ତୁ ସାମଗ୍ରିକ ଭାବରେ ଲୋକଙ୍କ ଜୀବନ ଜୀବିକା ସହ ଜଡ଼ିତ ମୌଳିକ ଆବଶ୍ୟକତା ଓ ସୁବିଧା ବିଷୟ ଯେପରିକି ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ବାସ୍ଥ୍ୟ ସୁବିଧା,ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ, ଅହୋରାତ୍ର ବିଦ୍ୟୁତ ଯୋଗାଣ , କର୍ମ ସୃଷ୍ଟି,ନିଯୁକ୍ତି, ରୋଜଗାର , ଭିତ୍ତିଭୂମି ନିର୍ମାଣ ଓ ଦରଦାମ୍ ନିୟନ୍ତ୍ରଣ ପ୍ରଭୁତି କ୍ଷେତ୍ରରେ ମୋହନ ସରକାର କିଛି ନୂତନ ଓ ଅଭିନବ ପଦକ୍ଷେପ ଗ୍ରହଣ କରିବାରେ ଅସମର୍ଥ ରହିଛନ୍ତି। ଅଧିକନ୍ତୁ ପୂର୍ବ ସରକାର ଦ୍ଵାରା ଚାଲିଥିବା ଯୋଜନା ଓ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ତାହାକୁ ଚାଲୁ ରଖିବାକୁ ବିଜେପି ସରକାର ଶ୍ରେୟସ୍କର ମଣିଛନ୍ତି। ସେହିଭଳି ପ୍ରଶାସନିକ ସଂସ୍କାର ଓ ପୂର୍ବ ସରକାରର ଭ୍ରଷ୍ଟାଚାର ଓ ଦୁର୍ନୀତି ଅଭିଯୋଗ ଗୁଡ଼ିକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ନୂତନ ସରକାର ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ସେଦିଗରେ ଏ ପର୍ଯ୍ୟନ୍ତ ପଦକ୍ଷେପ ନେବାରେ ସଫଳ ହେଇ ପାରି ନାହାଁନ୍ତି। ନିକଟରେ ବିଭିନ୍ନ ସରକାରୀ ପଦପଦବୀ ନିମନ୍ତେ ହେଉଥିବା ପ୍ରତିଦ୍ବନ୍ଦିତା ମୂଳକ ପରୀକ୍ଷା ଆୟୋଜନ, ନିଯୁକ୍ତି , ପଦୋନ୍ନତିରେ ଦୁର୍ନୀତି, ଅନିୟମିତତା, ଅବ୍ୟବସ୍ଥା ଓ ପ୍ରୀୟାପ୍ରିତି ତୋଷଣ ନେଇ ଅଭିଯୋଗ ଏବଂ ସେଥି ନେଇ ଆଶାୟୀ ମାନଙ୍କ ଆନ୍ଦୋଳନ ସହ ଭିତ୍ତିଭୂମି କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ସରକାରଙ୍କ କାର୍ଯ୍ୟ ଓ ଦକ୍ଷତା ଉପରେ ପ୍ରଶ୍ନ ଛିଡ଼ା କରିଛି । ଯେଉଁ ଅପାରଗତା, କୁଶାସନ, ଦୁର୍ନୀତି ଏବଂ ଓଡ଼ିଆ ଅସ୍ମିତା ବିଷୟ କହି ବିଜେପି ଦଳ ଓ ନେତୃବୃନ୍ଦ ସରକାରକୁ ଆସିଥିଲେ ତାହା ଉପରେ ଆଖିଦୃଶିଆ ଠୋସ ପଦକ୍ଷେପ ନନିଆଯିବ ଫଳରେ ଶାସନ ଓ ପ୍ରଶାସନର ଚିତ୍ର, ଚରିତ୍ର, କର୍ଯ୍ୟଶୈଳି, ପରିସ୍ଥିତି ଓ ପରିବେଶ ଅପରିବର୍ତ୍ତିତ ରହିଛି। ପଣ୍ଡିଆଁନ , ଡି ଏସ କୁଟ୍ଟେ ଓ ଆଶିଷ ସିଂହ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟ ପ୍ରକରଣ ମୋହନ ସରକାରଙ୍କ ଛବିକୁ ଜନମାନସରେ ମଳିନ କରିବା ସହ ସରକାରଙ୍କ ବିଶ୍ୱସନୀୟତା କ୍ଷୁର୍ଣ୍ଣ କରିଛି । ଏ ପରିପ୍ରେକ୍ଷୀରେ ମନ୍ତ୍ରୀମାନେ ନିଜ ବିଭାଗର କାର୍ଯ୍ୟ, ପଲିସି, ନୀତି ନିୟମ, ଯୋଜନା ଓ କାର୍ଯ୍ୟ ପ୍ରଣାଳୀ ଉପରେ ସମୀକ୍ଷା କରି ନିଜ ଦକ୍ଷତା ଓ ଯୋଗ୍ୟତାର ଉପଯୋଗ କରି ସଂଶୋଧିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ବିଭାଗର କାର୍ଯ୍ୟ ଧାରାରେ ଆବଶ୍ୟକୀୟ ସମୟୋପୋଯୋଗି ପରିବର୍ତ୍ତନ ଆଣିବା ବଦଳରେ ସବୁ ବିଲକ୍ଷଣ ପାଇଁ ପୂର୍ବ ସରକାର ଦାୟୀ ବୋଲି ପ୍ରତିଦିନ ଘୋଷିବାକୁ ଜନତା ସହଜରେ ଗ୍ରହଣ କରୁନଥିବା ପରିଲକ୍ଷିତ ହୋଇଛି। ସରକାର ଭୁଲିଯିବା ଉଚିତ୍ ନୁହେଁ ଯେ ଜନତା ଏହା ଶୁଣିବା ପାଇଁ ନୁହଁ କିଛି ନୂତନତ୍ବ କରି ବ୍ୟବସ୍ଥାରେ ଆବଶ୍ୟକୀୟ ସୁଧାର ଆଣି ଲୋକଙ୍କ ଜୀବନ ଧାରଣ ମାନରେ ଓ ମାନବ ସୁଚକାଙ୍କ ଇଣ୍ଡେକ୍ସରେ ଉନ୍ନତି ଆଣିବା ପାଇଁ ଭୋଟ ଦେଇଥିଲେ। ବିଜେପି ସରକାରକୁ ଆସିଲା ପରେ ମଧ୍ୟ କ୍ଷେତ୍ର ସ୍ତରରେ ଯେଉଁ ସାଂଗଠନିକ ବଳ ଓ ଆକର୍ଷଣ ଜୁଟାଇବା କଥା ତାହା ପ୍ରକଟିତ କରିପାରି ନାହିଁ। ଏବେ ମଧ୍ୟ ମନ୍ତ୍ରୀ ଓ ପ୍ରଶାସକଙ୍କ ମଧ୍ୟରେ କୋଅର୍ଡିନେସନ ସ୍ଥାପିତ ହୋଇ ପାରି ନାହିଁ। ଅନ୍ୟପଟେ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ମ୍ୟୁନିସିପାଲିଟି , ଏନଏସି ଓ ମ୍ୟୁନିସିପାଲ କର୍ପୋରେସନ ରେ ବିଜେଡ଼ିର ପ୍ରାଧାନ୍ୟ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଥିଳତା ଓ ଅବ୍ୟବସ୍ଥା ଜାରି ରହିଛି। ସେହିଭଳି ନିଜ ନିଜ ଅଞ୍ଚଳରେ ବିଧାୟକ ମାନେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉନଥିବାରୁ ଜନ ଅସନ୍ତୋଷ ବଢି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଓ ଭରସାରେ ଲୋକେ ବିଜେପିକୁ ସମର୍ଥନ ଦେଇ ସରକାରକୁ ଆଣିଥିବାରୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୁରଣରେ ବିଳମ୍ବିତ କୌଶଳ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଉପରେ ପ୍ରଭାବ ପକାଇଛି। ଆଞ୍ଚଳିକ ବୈଷମ୍ୟ ବୃଦ୍ଧି ପାଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ସରକାର ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରି ନିର୍ବାଚନ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଓ ପଦକ୍ଷେପ ନେଇ ଶାସନ ଓ ପ୍ରଶାସନରେ ନିଜ ମୌଳିକ ଛାପ ନଛାଡ଼ିଲେ ସରକାର ଓ ଦଳ ବ୍ୟାକଫୁଟ କୁ ଚାଲିଯିବାର ସମସ୍ତ ସମ୍ଭାବନା ରହିଛି। ବ୍ରହ୍ମପୁରରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ବିଜେପି ନିମନ୍ତେ ସରକାର ଗଢିବାର ମୂଳଦୁଆ ପକାଇଥିଲେ ମଧ୍ୟ ବ୍ରହ୍ମପୁରର ଅଭିବୃଦ୍ଧି, ବିକାଶ ଓ ଉନ୍ନୟନ ପ୍ରତି ନୂତନ ସରକାରଙ୍କ ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀ ଲୋକଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି। ସେ ସହର ତଳି ଅଞ୍ଚଳ ବ୍ରହ୍ମପୁରରେ ସାମିଲ ପ୍ରସଙ୍ଗ ହେଉ ଅବା ରେଲୱେ,ଗ୍ରୀନ ଫିଲ୍ଡ ଏୟାରପୋର୍ଟ, ଏଏମ୍ସ ସ୍ଥାପନ , ଆନ୍ତଃ ରାଜ୍ୟ ବସ ଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ, ଆନ୍ତର୍ଜାତୀୟ ଷ୍ଟାଡିୟମ୍ ଓ ବ୍ରହ୍ମପୁରକୁ ମେନୁଫେକ୍ଚରିଁ ଓ ଆଇତି ହବ୍ ରେ ପରିଣତ ସବୁଥିରେ ବୈମାତୃକ ମନୋଭାବ ଏଠାକାର ଲୋକଙ୍କୁ ବିଜେପି ପ୍ରତି ମୁହଁ ମୋଡ଼ିବାକୁ ବାଧ୍ୟ କରୁଛି। ଫଳରେ ମନେ ହେଉଛି ରାଜ୍ୟ ଏକ ରାଜନୈତିକ ଶୂନ୍ୟତା ଆଡ଼କୁ ଗତି କରୁଛି ବୋଲି ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନର ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀ ଏ ସବୁକୁ ସଂଗ୍ୟାନକୁ ନେଇ କରେକ୍ଟିଭ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର।
