ବସୋଇ ଗାଁ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ହତ୍ୟାକାରୀକୁ ଗିରଫ କରି ସିନ ରିକ୍ରିଏସନ କଲା ପରଜଙ୍ଗ ପୋଲିସ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସରୋଜ ବିଶ୍ୱାଳ ଓରଫ ମକୁକୁ ଗିରଫ କରି ସିନ ରିକ୍ରିଏସନ କରିଛି ପରଜଙ୍ଗ ପୋଲିସ। ନୂଆ ବର୍ଷର ପ୍ରଥମ ଦିନ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବସୋଇ ଗାଁର ରାକେଶ ସେଠିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ମକୁ। ପ୍ରଥମେ ଗାଁ ପଣା ଖୁଣ୍ଟରେ ବଳି ଦେବା ସହ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଥିଲା। ଏବଂ ମୃତ ଶରୀରକୁ ଶହ ଶହ ଖଣ୍ଡ କରି ଗାଁ ଦାଣ୍ଡରେ ଫୋପାଡ଼ି ଦେଇଥିଲା। ଯାହାକୁ ନେଇ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏ ନେଇ ଢେଙ୍କାନାଳ ଏସପି ଅଭିନବ ସୋନକରଙ୍କ ତତ୍ୱାବଧାନରେ ପରଜଙ୍ଗ ପୋଲିସର ତିନୋଟି ଟିମ ତଦନ୍ତ ଆରମ୍ଭ କରିଦେଇଥିଲେ।ତେବେ ପରଜଙ୍ଗ ପୋଲିସର ନିଦ ହଜେଇ ଦେଇଥିବା ମକୁକୁ ଥାନା ଅଧିକାରୀ ପ୍ରିୟବ୍ରତ ଦାସ ଆଜି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଗାଁ ଜଙ୍ଗଲରୁ ଘରକୁ ଖାଇବାକୁ ଯାଉଥିବା ବେଳେ କାବୁ କରି ନେଇଥିଲେ।ତେବେ ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ପରଜଙ୍ଗ ଥାନା ଅଧିକାରୀ। ଅଭିଯୁକ୍ତ ମକୁ ନିଜ ଦୁଇ ଭାଇର ମୃତ୍ୟୁକୁ ନେଇ ଗତ ୩ବର୍ଷ ହେବ ମାନସିକ ଚାପରେ ରହି ଆସୁଥିଲେ। ଏପରିକି ୨୦୨୧ ମସିହାରେ ୨୫ ବର୍ଷୀୟ ସାନ ଭାଇ ଚିରୋଜ ବିଶ୍ୱାଳଙ୍କୁ ବାଲେଶ୍ୱରରେ ହତ୍ୟା ଏବଂ ମଝିଆ ଭାଇ ମନୋଜ ବିଶ୍ୱାଳକୁ ୨୦୨୩ ମସିହା ବସୋଇ ଗାଁ କାଜୁ ଜଙ୍ଗଲରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ମକୁ। ଏ ନେଇ ଭାଇର ପ୍ରତିଶୋଧ ପାଇଁ ନିର୍ମମ ହତ୍ୟା କରିଥିବା ସେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଜିଲ୍ଲା ସାଇଣ୍ଟିଫିକ ଟିମ, ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ବସୋଇ ଗାଁ ଘଣ୍ଟିଆ ବନ୍ଧରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଲାଗିପଡ଼ିଥିଲେ । ଏବଂ ହତ୍ୟାକାରୀ ମକୁକୁ ନେଇ ସିନ ରିକ୍ରିଏସନ କରିଥିଲା ପରଜଙ୍ଗ ପୋଲିସ।
