୭୬ ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର:-୧୧/୧୨( ) ଚଳିତ ବର୍ଷ ୭୬ ତମ ସାଧାରଣ ତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି ଏବଂ ସୁଧାଂଶୁ କୁମାର ଭୋଇ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ସ୍ବାଗତ କରିବା ସହ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷରେ ପାଳିତ ହେବାକୁ ଥିବା ଏହି ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ପରୀକ୍ଷା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଓଡିଆ ବକ୍ତୃତା ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା, ୧୬ ତାରିଖ ଦିନ ଦେଶାତ୍ମବୋଧ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ୧୭ ତାରିଖ ଦିନ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଜାତୀୟ ଦିବସଟି ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଅନୁଷ୍ଠିତ ହେବ । ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଏଥି ସକାଶେ ଚଳିତ ମାସ ୨୨ ତାରିଖ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଏବଂ ୨୪ ତାରିଖ ଦିନ ପୂର୍ବାହ୍ନ ୮ ଘ. ସମୟରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ। ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୫ ଘଟିକା ସମୟରେ ଛତ୍ରପୁର ସହରରେ ରାମଧୂନ ପରିବେଷଣ କରାଯିବ। ପୂର୍ବାହ୍ନ ୮ ଘଟିକା ୩୦ ମିନଟ ସମୟରେ ମୁଖ୍ୟ ଅତିଥି ପ୍ୟାରେଡ଼ରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ଘ.୭.୧୫ମି. ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଜାନୁୟାରୀ ୨୬ ତାରିଖ ସଂଧ୍ୟା ସମୟରେ ସରକାରୀ ପ୍ରତିଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ, ସମସ୍ତ ବ୍ୟାଙ୍କ ଏବଂ ସହରର ଦୋକାନ ବଜାରରେ ଆଲୋକ ସଜ୍ଜା କରିବାପାଇଁ ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । (ଋଷିକୂଲ୍ୟା) ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଛତ୍ରପୁରଠାରେ ଅପରାହ୍ନ ଘ.୩.୦୦ମି. ସମୟରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ଏହି କବିତା ପାଠୋତ୍ସବରେ ଦେଶାତ୍ମବୋଧ କବିତା (ଏକ ପୃଷ୍ଠା) ପାଠ କରିବାପାଇଁ ଅନୁରୋଧ କରାଗଲା । ଜନରାଜ୍ୟ ଦିବସକୁ ସରସ ସୁନ୍ଦର କରିବାପାଇଁ ଛତ୍ରପୁର ଷ୍ଟାଡିୟମ୍ ଠାରେ ମୁଖ୍ୟ ସମାରୋହ ପରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଓ ଗଣ ମାଧ୍ୟମ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୨୬ ତାରିଖ ସଂଧ୍ୟା ଘ.୦୬.୦୦ମି. ସମୟରେ ଛତ୍ରପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ କାର୍ଯ୍ୟ ଦକ୍ଷତା ପ୍ରୋତ୍ସାହନ କରିବା ସକାଶେ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ସ୍ବାସ୍ଥ୍ୟ ବିଭାଗ, ସଂସ୍କୃତି ବିଭାଗ, ଶିକ୍ଷା ବିଭାଗ, କ୍ରୀଡାବିଭାଗ, ସ୍ବେଚ୍ଛାସେବୀ ବ୍ୟକ୍ତିବିଶେଷଙ୍କୁ ଚଳିତ ବର୍ଷ ପ୍ୟାରେଡ ପଡିଆରେ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଉକ୍ତ ବୈଠକରେ ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଉପ ଜିଲ୍ଲାପାଳ ଛତ୍ରପୁର ଦେବଦତ୍ତ ମହନ୍ତ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବରିଷ୍ଠ ନାଗରିକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ମୁଖ୍ୟ, ଗଣ ମାଧ୍ୟମର ପ୍ରତିନିଧିଗଣ, ବ୍ୟାଙ୍କ ଶାଖା ପରିଚାଳକ, ଛତ୍ରପୁରର ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବ୍ୟାବସାୟିକ ସଂଘର ମୁଖ୍ୟ, ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *