ଶୀତର ଗୀତି
ଶୀତର ଗୀତି
(କବି କେଶବ ଚନ୍ଦ୍ର ନାୟକ)
……………………………………
ଏବେ ତ ଆସିଲା ଶୀତ ଋତୁ ସାଥୀ
ନିଆଁର ଆଦର ବେଶି…..
ପାହାନ୍ତି କାକର ପାଦ ପାପୁଲିକୁ
ଭାରି ଜାଡ ଲାଗେ ବେଶି…!!
ସକାଳୁ ସକାଳୁ ବହଳା କୁହୁଡି
ସୂରୁଜର ମୁହଁ ଫିକା…
ନଈ ପୋଖରୀର ଜଳରୁ ବାହାରେ
ଧୂଆଁଳିଆ ବାମ୍ଫ ଶିଖା…!!
ଶୀତର ଜାଡରେ ପକ୍ଷୀ ତୁନି ହୋଇ
ଗଛର କୋରଡେ ଲୁଚି….
ରାବିବା ଭୁଲିଣ ଥଣ୍ଟକୁ ଚାପିଣ
ବୋଲୁ ନାହିଁ ଭାଷା କିଛି…!!
ପତର ଶୀରାରୁ ନିଗିଡ଼ି ପଡୁଛି
କାକର ବିନ୍ଦୁର ଟୋପା…
ବୃକ୍ଷ ମୂଳେ ଥିବା ଶୁଷ୍କ ଝଡ଼ା ପତ୍ର
ସତେ କି କହୁଛି କଥା…!!
ଟପ୍ ଟାପ୍ ଧ୍ବନି କର୍ଣ୍ଣ ଗହ୍ୱରରେ
ଅଦୂରୁ ଆସଇ ଭାସି….
ପାହାନ୍ତି ଶୀତରେ ଭାଙ୍ଗି ଯାଏ ନିଦ
କମ୍ବଳ ଆବୃତ୍ତେ ଖୁସି….!!
ଗରିବର ଦୁଃଖ ଶୀତ କାକରରେ
କାଠ ମୁଣ୍ଡା ଜାଳି ବସେ…
ଚାହା ପାନେ କିଏ ଶୀତ ଦିନେ ମଜା
ମାରିଣ ମୁରୁକି ହସେ…!!
ବିଡି ଟାଣି ଟାଣି ଶୀତକୁ ଘଉଡେ
କିଏ ସେ ଗଞ୍ଜେଇ ଟାଣି….
ଶୀତ ଦିନେ କିଏ ଉଷୁମ ଜଳରେ
ସିନାନ ସୁଖଦ ମଣି…!!
ଶୀତ ଋତୁ ହେଲେ ଗରମ ଗରମ
ଖାଇବାକୁ ଇଚ୍ଛା ଭାରି….
ନାକ ଟେକିଥାନ୍ତି ଥଣ୍ଡା ଖାଦ୍ୟ ଦେଖି
ଗରମ ଆଦର କରି….!!
ଗରମ ଗରମ ପକୁଡ଼ି ସଞ୍ଜରେ
ଖାଇବାକୁ ମନ ବଳେ….
ଗରମ ମୁଢ଼ିକୁ ଚୋବାଇ ଚୋବେଇ
ମଜା ମାରୁଥାଏ କଳେ….!!
ଶୀତ ପାଇଁ ସୁରା ପାନେ କିଏ ମଗ୍ନ
କରେ ଟଳମଳ ପାଦ….
ପଡି ଉଠି ଚାଲେ ଆପଣା ଘରକୁ
କରି ଘଡଘଡି ନାଦ….!!
ଶୀତରେ ଆଦର ନବ ବିବାହିତା
ପ୍ରେମ ଗପେ ପାହେ ନିଶି….
ବୈଧବ ଯନ୍ତ୍ରଣା ଭୋଗେ କେଉଁ ନାରୀ
ଅଶ୍ରୁ ଧାର ପଡେ ଖସି…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭
