ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା
ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା l ଗୋଆ, ୨୩ ନଭେମ୍ବରଗୋଆରେ ଅନୁଷ୍ଠିତ ୫୭ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ‘‘ଦି ଏପିକ୍ ଜୋନର୍ସ – ମାଇଥୋଲୋଜିଜ୍, ସୁପରହିରୋଜ ଏଣ୍ଡ ନ୍ୟୁ ୱାର୍ଲ୍ଡସ୍ ବା ‘‘ମହାକାବ୍ୟ ଶୈଳୀ – ପୌରାଣିକ କାହାଣୀ, ମହାନାୟକ ଏବଂ ନୂତନ ଦୁନିଆ’’ ଉପରେ ଏକ ରୋଚକ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଧାରିତ ମୌଳିକ ପୌରାଣିକ କାହାଣୀ, ମହାନାୟକ ଏବଂ କାଳ୍ପନିକ ଦୁନିଆର ଅପାର ସମ୍ଭାବନା ଉପରେ କେନ୍ଦ୍ରିତ ଥିଲା। ପୂଜା ତଲୱାରଙ୍କ ଦ୍ୱାରା ସଂଯୋଜିତ ଏହି ଆଲୋଚନା ଅଧିବେଶନରେ ଚଳଚ୍ଚିତ୍ର ନିର୍ମାତା ଅୟାନ ମୁଖାର୍ଜୀ ଏବଂ ବାସିଲ ଜୋସେଫ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେମାନେ ସୁପରହିରୋ ଏବଂ ପୌରାଣିକ କାହାଣୀକୁ ପରଦାକୁ ଆଣିବାର ସୃଜନଶୀଳ ଆହ୍ୱାନ, ଭାରତୀୟ ଲୋକକଥା ଓ ଆଧ୍ୟାତ୍ମିକତାର ପ୍ରଭାବ ଏବଂ ସିନେମା କାହାଣୀ କହିବାରେ ପ୍ରଯୁକ୍ତିର ପରିବର୍ତ୍ତନଶୀଳ ଭୂମିକା ଉପରେ ଆଲୋଚନା କରିଥିଲେ।ଭାରତରେ ସୁପରହିରୋ ଚଳଚ୍ଚିତ୍ର ନିର୍ମାଣର ଚ୍ୟାଲେଞ୍ଜ ବିଷୟରେ, ବାସିଲ ଯୋସେଫ କହିଥିଲେ, ଭାରତୀୟ ସିନେମା ପାରମ୍ପରିକ ଭାବରେ ନାୟକମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବରେ ଚିତ୍ରଣ କରାଯାଇଥାଏ, ପ୍ରାୟତଃ ସୁପରହିରୋଙ୍କ ଭଳି । ତେଣୁ ଗୋଟିଏ ଅଲଗା ସୁପରହିରୋ ସିନେମାଟିକ ୟୁନିଭର୍ସ ତିଆରି କରିବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ ।ଅୟାନ ମୁଖାର୍ଜୀ କହିଥିଲେ, ସାଧାରଣ ଲୋକଙ୍କ ଅସାଧାରଣ ଶକ୍ତିର ଧାରଣା ହିଁ ତାଙ୍କୁ ପ୍ରଥମେ ସୁପରହିରୋ ଧାରା ପ୍ରତି ଆକର୍ଷିତ କରିଥିଲା। ପାଶ୍ଚାତ୍ୟ ଫ୍ୟାଣ୍ଟାସି ଦ୍ୱାରା ଅନୁପ୍ରାଣିତ ଚଳଚ୍ଚିତ୍ର ପାଇଁ “ଭାରତୀୟ ପରିଚୟ” ସୃଷ୍ଟି କରିବାର ଆହ୍ୱାନ ବିଷୟରେ ଆଲୋକପାତ କରି ସେ ସ୍ୱୀକାର କରିଥିଲେ ଯେ “ବ୍ରହ୍ମାସ୍ତ୍ର” ପ୍ରାରମ୍ଭରେ କିଛି ପାଶ୍ଚାତ୍ୟ ପ୍ରଭାବ ପକାଇଥିଲା। ଏହାର ଏକ କାରଣ ଥିଲା “ହ୍ୟାରି ପୋଟର” ଭଳି କାହାଣୀ ପ୍ରତି ତାଙ୍କର ଆକର୍ଷଣ। ତଥାପି, ସ୍କ୍ରିପ୍ଟରେ ଆଧ୍ୟାତ୍ମିକତାର ଉପାଦାନଗୁଡ଼ିକୁ ସାମିଲ କରିବା ଚଳଚ୍ଚିତ୍ରକୁ ଏକ ସ୍ୱତନ୍ତ୍ର ଭାରତୀୟ ପରିଚୟ ଦେବାରେ ସାହାଯ୍ୟ କରିଥିଲା।ଏହି ଅବସରରେ ପୌରାଣିକ କଥା ଏବଂ ଲୋକକଥା ସହିତ ଭାରତର ଗଭୀର ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଆଇ ଯୁଗରେ ଚଳଚ୍ଚିତ୍ର ନିର୍ମାଣର ଭବିଷ୍ୟତ ବିଷୟରେ ବାସିଲ ଯୋସେଫ କହିଥିଲେ, ଏଆଇ ମୁଖ୍ୟତଃ ସମ୍ପୂର୍ଣ୍ଣ ମୌଳିକ କିଛି ସୃଷ୍ଟି କରିବା ପରିବର୍ତ୍ତେ ବିଦ୍ୟମାନ ବିଷୟବସ୍ତୁକୁ ଦୋହରାଇଥାଏ । ବକ୍ତାମାନେ ଓଟିଟି ପ୍ଲାଟଫର୍ମର ପ୍ରସାର କିପରି ଭାରତୀୟ ସିନେମାର ପହଞ୍ଚକୁ ପରିବର୍ତ୍ତନ କରିଛି ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଆଲୋଚନା ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତିତ ପ୍ରକୃତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା।
