ଶାଶ୍ବତ ପାହାଚ’ ସାହିତ୍ୟ ପର୍ବ :

ଭୁବନେଶ୍ବର ତା‐ ୩୦-୩-୨୦୨୫ – ସାହିତ୍ୟ ପତ୍ରିକା ‘ଶାଶ୍ବତ ପାହାଚ’ ଆନୁକୁଲ୍ଯରେ ରବିବାର ପୂର୍ବାହ୍ନରେ ଭୁବନେଶ୍ବରସ୍ଥ ଭାରତୀୟ ବିଦ୍ୟାଭବନ ସଭାକକ୍ଷରେ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ କବି କମଳ କୁମାର ମହାନ୍ତିଙ୍କ ଆବାହକତ୍ବରେ ଏହି କାର୍ଯ୍ଯକ୍ରମରେ ଶତାଧିକ କବି, କଥାକାର, ସାହିତ୍ୟିକ ତଥା ସାହିତ୍ୟପ୍ରେମୀ ଯୋଗଦାନ କରିଥିଲେ । ପ୍ରଥମ ଅଧିବେଶନ ଆରମ୍ଭରେ ଦୀପ ପ୍ରଜ୍ଜ୍ବଳନ ଓ ଶ୍ଳୋକପାଠ ପରେ ଅତିଥିମାନେ ମଞ୍ଚାସୀନ ହୋଇଥିଲେ । କବି ଓ ପ୍ରାବନ୍ଧିକ ସୁବ୍ରତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ମମତା ଦାଶ ସାହିତ୍ୟରେ କବିତାର ଆବଶ୍ୟକତା ଓ ଆଧୁନିକ କବିତାର ସମକାଳୀନତା ପ୍ରସଙ୍ଗରେ ଗଭୀର ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡ. ରମେଶ ପାଣି ସାହିତ୍ୟରେ ମୂଲ୍ଯବୋଧ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ସଭାପତି ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ଗବେଷଣା ତଥା ପ୍ରବନ୍ଧ ଓ ସମ୍ପାଦନା ସାହିତ୍ୟର ଅନେକ ଅନାଲୋଚିତ ଦିଗ ଛୁଇଁ ଯାଇଥିଲେ । ସାହିତ୍ୟରେ ଉତ୍କର୍ଷତା ପାଇଁ ପ୍ରବନ୍ଧ କ୍ଷେତ୍ରରେ ଡ.ରମାକାନ୍ତ ରାଉତ, କବିତାରେ ରୋହିଣୀକାନ୍ତ ମୁଖାର୍ଜୀ,ଗଳ୍ପରେ ଅନ୍ନପୂର୍ଣ୍ଣା ମହାନ୍ତି, ଅନୁବାଦରେ ଡ. କନକ ମଞ୍ଜରୀ ପଟ୍ଟନାୟକ, ଉଦୀୟମାନ କବି ଭାବରେ ସ୍ବୟଂପ୍ରଭା ରଥ, ଉଦୀୟମାନ ପ୍ରାବନ୍ଧିକ ଭାବରେ ମାଧବାନନ୍ଦ ପାତ୍ର, ଏବଂ ପ୍ରିୟ ପାଠକ ଭାବରେ ସଂଜୟ କୁମାର ବରାଳ । ଦ୍ବିତୀୟ ଅଧିବେଶନରେ ଗଳ୍ପ ଓ ଅନୁବାଦ ସଂପାନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଯୁବ ଗାଳ୍ପିକ ମଦନ ମହାପାତ୍ର । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଅନୁବାଦକ ବଙ୍ଗାଳୀ ନନ୍ଦ ଓ ରମେଶ ପଟ୍ଟନାୟକ ଏବଂ ଗାଳ୍ପିକ ଭାବରେ ଅଜୟ ମହାପାତ୍ର ଓ ଗାୟତ୍ରୀ ଦାସ ପିଙ୍କି । ଶେଷ ଅଧିବେଶନରେ କବିତା ପାଠ କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ କବି ମିନତୀ ମିଶ୍ର ଓ ବିପ୍ଳବ ରଞ୍ଜନ ପତି । ଯେଉଁ ପ୍ରମୁଖ କବିମାନେ କବିତା ପାଠ କରିଥିଲେ, ସେମାନେ ହେଲେ ସର୍ବଶ୍ରୀ ବିଜୟ ମହାପାତ୍ର, ପ୍ରତିଭା ପରିଡ଼ା, ରାଜଲକ୍ଷ୍ମୀ ତ୍ରିପାଠୀ, ପ୍ରିୟଦର୍ଶିନୀ ମହାରଣା, ସରୋଜ ବଳ, ସଂଯୁକ୍ତା ଦାଶ,ଅକ୍ଷୟ ପାଳ, ସୁବ୍ରତ ଦାସ, ଭିକାରୀ ଧଳ, ଦୀପୁନ୍ ପୁହାଣ, ସୁରଞ୍ଜନ ପାତ୍ର, ଆଶିଷ ମହାପାତ୍ର, ନରହରି ମିଶ୍ର, ରାମଚନ୍ଦ୍ର ପଲାଇ, ଦେବେନ୍ଦ୍ର ବାଉରୀ, ଗିରିଜା ମିଶ୍ର, ଭାରତୀ ନାୟକ, କେ.ବିପ୍ଳବ, ମମତା ସାହୁ, ରବି କୁମାର ମହାନ୍ତି, ଅଶ୍ବିନୀ ସୂତାର, କାର୍ତ୍ତିକ ସ୍ବାଇଁ, ରୋହିଣୀକାନ୍ତ ମୁଖାର୍ଜୀ, ସ୍ବୟଂପ୍ରଭା ରଥ ଓ ପ୍ରଦ୍ୟୁମ୍ନ ପଟ୍ଟନାୟକ । କବି ଗିରିଜା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ‐ କମଳ କୁମାର ମହାନ୍ତି, ସମ୍ପାଦକ

Leave a Reply

Your email address will not be published. Required fields are marked *